ଅଗ୍ନି ବିପନ୍ନ ପରିବାରକୁ ଭେଟିଲା ବିଜେଡି ଟିମ୍

ଭୁବନ, ୦୬/୦୬/୨୬(ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ପଞ୍ଚାୟତ କହ୍ନେଇପାଳ ଗ୍ରାମ ତଇଳା ସାହିରେ ଗତକାଲି ଶୁକ୍ରବାର ଅଗ୍ନିକାଣ୍ଡ ଘଟି ସମୁଦାୟ ୮ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ଗ୍ୟାସ ରେ କ୍ଷୀର ବସାଇ ଥିବା ବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ବାଉରୀବନ୍ଧୁ ସାହୁ ଙ୍କ ୨ ବଖରା ତାଙ୍କ ପୁଅ ଶିଶିର ସାହୁ ଙ୍କ ୩ ବଖରା ଓ ସମୀର ସାହୁ ଙ୍କ ୩ ବଖରା ( ସମୁଦାୟ ୮ ବଖରା) ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା । ନିଆଁ ର ପ୍ରକୋପ ଏତେ ତୀବ୍ର ଥିଲା ଯେ ଭୁବନ ଓ କାମାକ୍ଷା ନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

ଏହି ଅଗ୍ନିକାଣ୍ଡରେ ବାଉରୀବନ୍ଧୁ ଙ୍କ ପରିବାର ର ସମସ୍ତ ଆସବାବ ପତ୍ର, ଟଙ୍କା ଓ ସୁନା ଗହଣା ସବୁ ପୋଡ଼ି ଯାଇଥିଲା । ଏହି ବିପତ୍ତି ସମ୍ପର୍କରେ ସୂଚନା ପାଇ ଭୁବନ ନଗରାପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ସାହୁ,ଭୁବନ ବ୍ଲକ ବିଜେଡି ସଭାପତି ତଥା ସ୍ଥାନୀୟ ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ବିଜେଡି ଟିମ୍ ଆଜି ଶନିବାର ଅଗ୍ନି ବିପନ୍ନ ବାଉରୀ ଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ସହାୟତାର ହାତ ବଢାଇଥିଲେ ଓ ଖୁବ୍ ଶୀଘ୍ର ସରକାରୀ ସାହାଯ୍ୟ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ । ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଶନିବାର ଅପରାହ୍ନରେ ଘଟଣାସ୍ଥଳ ପରିଦର୍ଶନ କରି ଅଗ୍ନି ବିପନ୍ନ ଙ୍କ ପରିବାର ବର୍ଗ ଙ୍କୁ ଭେଟିଥିଲେ । ବିପନ୍ନ ପରିବାର ଙ୍କୁ ଜରି ପାଲ ଯୋଗାଇ ଦିଆଯାଇଛି , ଆର୍ ଆଇ ଙ୍କ ରିପୋର୍ଟ ଅନୁଯାୟୀ ତହସିଲ ରୁ ସହାୟତା ଦିଆଯିବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଶ୍ରୀମତୀ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *