.ପ୍ରକଳ୍ପ କାର୍ଯ୍ୟକ୍ଷମକୁ ନେଇ ସଂଶୟ
ରାୟଗଡ଼ା, ୦୪/୦୬/୨୦୨୬ (ଓଡ଼ିଶା ସମାଚାର)-କୋଡିଙ୍ଗାମାଳି ବକ୍ସାଇଟ ଖଣି ସହ ସଂଯୁକ୍ତ ବେଲ୍ଟ କନଭେୟର ଲାଇନକୁ ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ବନ୍ଦ କରାଯାଇଥିବା ନେଇ ସୂଚନା ସ୍ଥାନୀୟ ଗ୍ରାମବାସୀଙ୍କୁ ଚିନ୍ତିତ କରିଛି ।
ସମ୍ପ୍ରତି ପରିସ୍ଥିତିରେ ସଡ଼କ ପଥରେ ବକ୍ସାଇଟ ପରିବହନ ପାଇଁ ଯୋଜନା ବିଚାରାଧୀନ ଥିବା ଜଣାପଡ଼ିଛି। ଏହା ଦ୍ୱାରା ସ୍ଥାନୀୟ ଗାଡ଼ି ଭାରିଯାନ ମାଲିକ ତଥା ପରିବହନକାରୀମାନଙ୍କ ପାଇଁ କିଛି ଆୟର ସୁଯୋଗ ସୃଷ୍ଟି ହୋଇପାରେ । ଅନ୍ୟପକ୍ଷେ ଏହା ଗୁରୁତର ପରିଚାଳନାଗତ ଆହ୍ବାନ ହୋଇଥିବା ବେଳେ ଏହା ଲଜିଷ୍ଟିକ୍ସ ଉପରେ ଅଧିକ ନିର୍ଭରଶୀଳତା ସୃଷ୍ଟି କରିବ।
ଏଥିସକାଶେ କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ ଯୋଗାଣ ଅବ୍ୟାହତ ରହିବ କି ନାହିଁ ସେନେଇ ଅନିଶ୍ଚିତତା ଦେଖାଦେଇଥିବାରୁ ପ୍ରକଳ୍ପର ଦୀର୍ଘମିଆଦୀ ସ୍ଥାୟିତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଶିଳ୍ପ କ୍ଷେତ୍ରର ପର୍ଯ୍ୟବେକ୍ଷକମାନଙ୍କ ମତରେ, ଏହି ଅନିଶ୍ଚିତତାକୁ ଦୃଷ୍ଟିରେ ରଖି କମ୍ପାନୀ ଭବିଷ୍ୟତରେ ଉପଲବ୍ଧ ଖଣି ନିକଟସ୍ଥ ଅଞ୍ଚଳକୁ ରିଫାଇନେରୀ ସ୍ଥାନାନ୍ତର କରିବା ଭଳି ବିକଳ୍ପ ବିଚାର କରିପାରେ।
ଫଳସ୍ୱରୂପ ଏହାକୁ ଅଞ୍ଚଳର ଆଦିବାସୀ ଏବଂ ଆର୍ଥିକ ଭାବେ ପଛୁଆ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବ। ସ୍ଥାନୀୟ ଲୋକେ ବହୁ ବର୍ଷ ଧରି ସେମାନେ ଏକ ରିଫାଇନେରୀ କାରଖାନା ସ୍ଥାପନର ଆଶା ରଖିଥିଲେ । କିନ୍ତୁ ବର୍ତ୍ତମାନ ପ୍ରକଳ୍ପ ନିର୍ମାଣାଧୀନ ଥିବାବେଳେ ଭବିଷ୍ୟତକୁ ନେଇ ସେମାନଙ୍କ ମନରେ ଅନିଶ୍ଚିତତା ସୃଷ୍ଟି ହୋଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଞ୍ଚାମାଲ ଯୋଗାଣକୁ ନେଇ ସମ୍ଭାବ୍ୟ ଅନିଶ୍ଚିତତା ପ୍ରକଳ୍ପ ବିସ୍ଥାପିତ (ଡିପି) ଏବଂ ଜମି ହରାଇଥିବା ପରିବାରମାନଙ୍କ (ଏଲ ଏଲ) ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଛି। ସେମାନଙ୍କ ଜୀବିକା ଓ ଭବିଷ୍ୟତ ଏହି ପ୍ରକଳ୍ପ ସହ ନିବିଡ଼ ଭାବେ ଜଡ଼ିତ ଥିବାରୁ, ପ୍ରକଳ୍ପ କାର୍ଯ୍ୟକ୍ଷମରେ କୌଣସି ମନ୍ଥରତା କିମ୍ବା ବାଧା ସେମାନଙ୍କ ସାମାଜିକ-ଆର୍ଥିକ ସ୍ଥିରତା ଉପରେ ଏବଂ ଆଗାମୀ ପିଢ଼ିମାନଙ୍କ ଭବିଷ୍ୟତ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇବ।
ଅପରପକ୍ଷେ ଦୀର୍ଘସ୍ଥାୟୀ ଅନିଶ୍ଚିତତା କେବଳ ସ୍ଥାନୀୟ ଲୋକଙ୍କ ଆତ୍ମବିଶ୍ୱାସକୁ ପ୍ରଭାବିତ କରିବ ନାହିଁ, ବରଂ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିବେଶ ପରିବେଶ ଉପରେ ମଧ୍ୟ ବିପରୀତ ପ୍ରଭାବ ପକାଇପାରେ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଛି।
