ଯାଜପୁର,୦୨/୦୬/୨୦୨୬ (ଓଡ଼ିଶା ସମାଚାର)- ଅବକାରୀ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାରେ ଆଇଏମଏଫଏଲ୍ ଅଫ୍ ଏବଂ କଣ୍ଟ୍ରି ଲିକ୍ୟୁର ଦୋକାନଗୁଡ଼ିକର ବଣ୍ଟନ ନିମନ୍ତେ ଆଜି ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଲଟେରି ପ୍ରକ୍ରିୟା ସଫଳତାର ସହ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲାର ମୋଟ ୪୨ ଟି ଆଇଏମଏଫଏଲ୍ “ଅଫ୍” ଦୋକାନ ପାଇଁ ମୋଟ ୯୦୫ ଜଣ ଆବେଦନକାରୀ ଏବଂ ୧୬ ଟି କଣ୍ଟ୍ରି ଲିକ୍ୟୁର ଦୋକାନ ପାଇଁ ମୋଟ ୪୮୭ ଜଣ ଆବେଦନକାରୀ ଥିଲେ।
ଲଟେରି ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ସମ୍ପନ୍ନ କରାଯାଇଥିଲା। ପ୍ରତ୍ୟେକ ଆବେଦନକାରୀଙ୍କୁ ଟୋକନ ନମ୍ବର ଦିଆଯାଇଥିଲା। ଆବେଦନକାରୀମାନଙ୍କ ଉପସ୍ଥିତିରେ ଟୋକନଗୁଡ଼ିକୁ ଏକ ବାକ୍ସରେ ଭର୍ତ୍ତି କରାଯାଇଥିଲା। ପ୍ରକ୍ରିୟାରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଅଧିକାରୀମାନେ ଆଖିରେ କଳାପଟି ପିନ୍ଧି ବାକ୍ସ ଭିତରୁ ଟୋକନ ଉଠାଇଥିଲେ। ବାକ୍ସରୁ ବାହାରିଥିବା ଟୋକନ ନମ୍ବର ଅନୁଯାୟୀ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ପ୍ରତ୍ୟେକ ପର୍ଯ୍ୟାୟ ଶେଷରେ ସମ୍ପୃକ୍ତ ଦୋକାନ ପାଇଁ ଅସ୍ଥାୟୀ ଭାବେ ମନୋନୀତ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ଲଟେରିରେ ମନୋନୀତ ଆବେଦନକାରୀଙ୍କ ଆବେଦନପତ୍ର ଓ ଅନ୍ୟାନ୍ୟ ଦଲିଲପତ୍ରର ଯାଞ୍ଚ ପରେ ଏବଂ ନିର୍ଦ୍ଧାରିତ ଶୁଳ୍କ ପୈଠ କରିବା ପରେ ଲାଇସେନ୍ସ ପ୍ରଦାନ କରାଯିବ। ଲଟେରିର ଫଳାଫଳ ଇ-ଅବକାରୀ ପୋର୍ଟାଲରେ ମଧ୍ୟ ଅପଲୋଡ୍ କରାଯାଇଛି।
ଲଟେରି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରବେଶ ଦ୍ୱାରରେ କଡ଼ା ସୁରକ୍ଷା ଯାଞ୍ଚ ଏବଂ ସଂସ୍କୃତି ଭବନ ପରିସରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିବା ବେଳେ କେବଳ ଆବେଦନକାରୀଙ୍କୁ ସଭାଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଆବେଦନକାରୀଙ୍କ ପାଇଁ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା କରାଯାଇଥିଲା। ଏହାସହ ସମଗ୍ର ଲଟେରି ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇ ସ୍ୱଚ୍ଛତାକୁ ସୁନିଶ୍ଚିତ କରାଯାଇଥିଲା। ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ କର ସମସ୍ତ ଆବେଦନକାରୀ, ପ୍ରଶାସନିକ ଅଧିକାରୀ ଓ ଅବକାରୀ ବିଭାଗର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଅବକାରୀ ଅଧିକ୍ଷକ ଅଜୟ କୁମାର ବେହେରା, ଅତିରିକ୍ତ ଏସପି ଶିତିକଣ୍ଠ କାନୁନଗୋ, ଅତିରିକ୍ତ ଏସପି ଶଙ୍କର୍ଷଣ ଦଳାଇ, ଅତିରିକ୍ତ ଏସପି ଲକ୍ଷ୍ମୀଧର ସ୍ବାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସଞ୍ଜିତ କୁମାର ନାୟକ, ନିଜାରତ ଅଧିକାରୀ ମନୀଷା ସାହୁ, ଜିଲ୍ଲା ଇ-ଗଭର୍ଣ୍ଣସ ମ୍ୟାନେଜର ଶାରଦା ପ୍ରସାଦ ଜେନା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ଡେପୁଟି ଅଧିକ୍ଷକ ଅନିତା ଓଝା, ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଟାଉନ୍ ଥାନା ଆଇଆଇସି ଶରତ ନାୟକଙ୍କ ସମେତ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
