ଶ୍ରୀବଳଦେବଜୀଉ ମନ୍ଦିର ବାଇପାସ ରାସ୍ତା ଜବରଦଖଲ ମୁକ୍ତ ଦାବି

ସାନ୍ତସାହି – ଇଛାପୁର ମନ୍ଦିର ରାସ୍ତାରୁ ଜବରଦଖଲ ହଟାଯାଉ

କେନ୍ଦ୍ରାପଡ଼ା,୩୧/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯିବା ପାଇଁ ଥିବା ବାଇପାସ ରାସ୍ତାକୁ ଜବରଦଖଲମୁକ୍ତ କରାଯିବାକୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ସହର ମଧ୍ୟ ଦେଇ ଯାଇଥିବା ତିନିମୁହାଣୀ- ଅଙ୍ଗୁଳେଇ ରାସ୍ତାର କେଶପୁର ବଜାର, ବଡମଙ୍ଗଳା, ସାନମଙ୍ଗଳା ପ୍ରଭୃତି ଦେଇ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ମୁଖ୍ୟ ରାସ୍ତା ରହିଛି । କିନ୍ତୁ ସାନ୍ତସାହି ଠାରୁ କେନ୍ଦ୍ରାପଡା କେନାଲବନ୍ଧରେ ଅବକାରୀ କାର୍ଯ୍ୟାଳୟ ଦେଇ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ଅନ୍ୟ ଏକ ବାଇପାସ ରାସ୍ତା ମଧ୍ୟ ରହିଛି । ଜାନିଯାତ୍ରା ଓ ରଥଯାତ୍ରା ସମୟରେ ଭକ୍ତ, ଶ୍ରଦ୍ଧାଳୁ, ଯାତ୍ରୀ ଓ ଦର୍ଶାନାର୍ଥୀମାନେ ସହର ପଟୁ ଏହି ବାଇପାସ ରାସ୍ତାରେ ମାଉସୀମା ମନ୍ଦିର ରଥଦାଣ୍ଡକୁ ଯାଇଥାନ୍ତି । ଶ୍ରୀଜୀଉଙ୍କ ପୂଜା ପାର୍ବଣ ଓ ରଥଯାତ୍ରା ସମୟରେ ମୁଖ୍ୟ ରାସ୍ତାରେ ଭିଡ କମାଇବା ପାଇଁ ଏହି ବାଇପାସ ରାସ୍ତାକୁ ମନ୍ଦିର ଯିବା ପାଇଁ ଏକପାଖିଆ ରାସ୍ତା ଭାବେ ବ୍ୟବହାର କରାଯାଇଥାଏ ।

ଏଥିସହିତ ମନ୍ଦିର ନିକଟରୁ ସହର ଆଡକୁ ଆସିିବା ପାଇଁ ସହରର ମୁଖ୍ୟ ରାସ୍ତା ଦେଇ ଫେରିବାକୁ ପଡିଥାଏ । କିନ୍ତୁ ଏହି ରାସ୍ତାର କେନ୍ଦ୍ରାପଡା ପୌରାସଂସ୍ଥା ଅଧିନ ୨ନମ୍ବର ୱାର୍ଡରେ ଥିବା ବଡବାରଙ୍ଗ ଗ୍ରାମର ସ୍କୁଲ ଛକ ପାଖରୁ ମଧ୍ୟଖଣ୍ଡୀ ପର୍ଯ୍ୟନ୍ତ ଥିବା ବାଇପାସ ରାସ୍ତାକୁ ଜବରଦଖଲ କରାଯାଇଥିବାରୁ ରାସ୍ତାଟି ଅତ୍ୟନ୍ତ ଅଣଓସାରିଆ ବା ଶଙ୍କୁଚିତ ହୋଇପଡିଛି । ପୌର କର୍ତୃପକ୍ଷ ସ୍କୁଲ ନିକଟରୁ ମାତ୍ର ଅଳ୍ପ କେତେ ବାଟ ନୂତନ ରାସ୍ତା କରି ଛାଡିଦେଇଛନ୍ତି । ଏହି ରାସ୍ତା ପାଖରେ ଥିବା ପାକୃତିକ ଡ୍ରେନଟି ପୋତି ହୋଇ ପଡିଥିବାରୁ ଗ୍ରାମବାସୀ ସେମାନଙ୍କ ଗୃହର ଉଦବୃଜଳକୁ ରାସ୍ତା ଉପରକୁ ଛାଡି ଦେଉଥିବାରୁ ଅନେକ ସମୟରେ ସେହି ରାସ୍ତା ଉପରେ ପାଣି ଲହଡି ମାରୁଥାଏ । ସେହି ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ଗଛଲତା ମାଡି ରାସ୍ତାଟିକୁ ଆହୁରି ଶଙ୍କୁଚିତ କରିଦେଇଛି ।

ଫଳରେ ସେହି ଅଣଓସାରିଆ ରାସ୍ତା ଦେଇ ଯିବା ଆସିବା କରିବାରେ ବହୁ ସମସ୍ୟା ଉପୁଜୁଛି । ରଥଯାତ୍ରା ଓ ଅନ୍ୟାନ୍ୟ ଜାନିଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ବାରଙ୍ଗ ସ୍କୁଲ ଛକରୁ ମନ୍ଦିର ରାସ୍ତାକୁ ସିଲ କରାଯାଇ ମଧ୍ୟଖଣ୍ଡୀ ବାଟେ ଏକପାଖିଆ ରାସ୍ତାରେ ଯିବାକୁ ନିର୍ଦ୍ଧେଶ ଦିଆଯାଇଥାଏ । କିନ୍ତୁ ଏହି ରାସ୍ତାର ଅବସ୍ଥା ଏବେ ଶଙ୍କୁଚିତ ହୋଇ ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ଗୋଟିଏ ଚାରିଚକିଆ ଯାନ ଗଲେ ସମ୍ମୁଖରୁ ଅନ୍ୟ ଏକ ଗାଡି ପାସ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଜନସାଧାରଣଙ୍କ ବୃହର ସ୍ୱାର୍ଥ ଦୃଷ୍ଟିରୁ ବଡବାରଙ୍ଗ ମଧ୍ୟଖଣ୍ଡୀ ବାଇପାସ ରାସ୍ତାକୁ ମାପ କରାଯାଇ ଓସାରିଆ କରାଯିବାକୁ ଗ୍ରାମର ବରିଷ୍ଠ ନାଗରିକ ଶିକ୍ଷାବୀତ ତଥା ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ ଅଧିକାରୀ ଗଣେଶ୍ୱର ମେକାପ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ପାଇଁ ଦାବି କରିଛନ୍ତି । ଏଥିସହିତ ଅଭିଯୋଗର ନକଲ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *