କେନ୍ଦ୍ରାପଡ଼ା,୨୭/୦୫/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର.ଆୟର ସାଇକଲ ଯୋଗେ ଗରାପୁର କୋଠିଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଜିଲା କାର୍ଯ୍ୟାଳୟକୁ ଆସିଥିଲେ । ଏଥିସହିତ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ସମାପନ ପରେ ଅପରାହ୍ନରେ ସାଇକଲ ଯୋଗେ ଆବାସିକ କାର୍ଯ୍ୟାଳୟକୁ ଫେରିଯାଇଥିଲେ । ଦେଶରେ ତୈଳ ସଙ୍କଟ ଲାଗିରହିଥିବା ବେଳେ ରାଜ୍ୟ ତଥା କେନ୍ଦ୍ରାପଡାରେ ମଧ୍ୟ ତୈଳ ସଙ୍କଟ ଲାଗି ରହିଛି ।
ତେଣୁ ଜିଲାପାଳ ଶ୍ରୀ ଆୟର ସାଇକଲରେ ନିଜ କାର୍ଯ୍ୟାଳୟକୁ ଆସିବା ସହ ଏହି ଅବସରରେ ଲୋକମାନଙ୍କ ଉଦେଶ୍ୟରେ କହିଛନ୍ତି ଯେ ବିଶେଷ ଆବଶ୍ୟକତା ନଥିଲେ ଗାଡି ବଦଳରେ ସାଇକଲରେ ଯିବା ଆସିବା କରନ୍ତୁ । ପନିପରିବା, ଫଳମୂଳ, ମାଛ, ମାଂସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କ୍ରୟ କରିବା ପାଇଁ ଲୋକମାନେ ସାଇକଲରେ ଆସିବା ଉଚିତ ବୋଲି କହିଛନ୍ତି । ସେହିପରି ଅଳ୍ପ ଦ୍ୱରତାକୁ ଯିବା ଆସିବାକୁ ଗାଡି ବଦଳରେ ସାଇକଲ ବ୍ୟବହାର କରିବା ଉଚିତ । ଏହାଦ୍ୱାରା ଦେଶରେ ଲାଗି ରହିଥିବା ତୈଳ ସଙ୍କଟକୁ ଟାଳି ହେବ । ଜରୁରୀ ଆବଶ୍ୟକତା ବିନା ଗାଡି ବ୍ୟବହାରକରି ଇନ୍ଧନର ଅପଚୟ ନକରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ।
