ଭୁବନେଶ୍ୱର,୧୭/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକ ସୁସ୍ଥ, ସବୁଜ ଏବଂ ଫିଟ୍ ଓଡ଼ିଶାର ପରିକଳ୍ପନାକୁ ଅଧିକ ସୁଦୃଢ଼ କରି ‘ଫିଟ୍ ଓଡ଼ିଶା’ ଅଭିଯାନ ଅଧୀନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ‘ସାଇକେଲରେ ରବିବାର’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅର୍ଜୁନ ପୁରସ୍କାର ବିଜେତା ମିନତି ମହାପାତ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ପ୍ରମୁଖ ଏହି କାର୍ଯ୍ୟକ୍ରମର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ସି.ଆଇ.ଏସ୍.ଏଫ୍. (CISF), ସି.ଆର୍.ପି.ଏଫ୍. (CRPF), ମାଇଁ ଭାରତ (MY Bharat), ଏନ୍.ଏସ୍.ଏସ୍. (NSS) ଓଡ଼ିଶାର ସ୍ୱେଚ୍ଛାସେବୀ, ଏନ୍.ସି.ସି. (NCC) କ୍ୟାଡେଟ୍, ବିଶିଷ୍ଟ କ୍ରୀଡ଼ାବିତ୍, ସାଇକେଲ ଚାଳନାର ପ୍ରସାର କରୁଥିବା ବ୍ୟକ୍ତିବିଶେଷ, ଯୁବପିଢ଼ି, ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସାଇକେଲ ଚାଳନା ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, ପରିବେଶ ସଚେତନତା ଏବଂ ଗୋଷ୍ଠୀଗତ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇଥିଲେ, ଯାହା ଅନ୍ୟମାନଙ୍କ ପାଇଁ ଅପୂର୍ବ ପ୍ରେରଣା ଏବଂ ଗୌରବ ସୃଷ୍ଟି କରିଥିଲା।
ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ନିକଟରୁ ଆରମ୍ଭ ହୋଇଥିବା ଏହି ସାଇକେଲ ଶୋଭାଯାତ୍ରା ଅଭିଯାନଟି ବୈଭବ ୱେଲନେସ୍ ସେଣ୍ଟର ଛକ, ଉତ୍କଳ ହସ୍ପିଟାଲ୍ ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ପାର୍କ ଦେଇ ପୁନର୍ବାର ବୈଭବ ୱେଲନେସ୍ ସେଣ୍ଟର ଛକରେ ପହଞ୍ଚି ଶେଷ ହୋଇଥିଲା ।
ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ‘ସାଇକେଲରେ ରବିବାର’ କେବଳ ଏକ ସାଇକେଲ୍ ଚାଳନା କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ‘ଫିଟ୍ ଇଣ୍ଡିଆ ମିଶନ’ ଅଧୀନରେ ଏକ ଦେଶବ୍ୟାପୀ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଆନ୍ଦୋଳନ। ଏହା କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ସ୍ଥାୟୀ ଜୀବନଶୈଳୀ ଏବଂ ସାମୂହିକ ସାମାଜିକ ଦାୟିତ୍ୱବୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍ ଇଣ୍ଡିଆ’ ଆହ୍ୱାନ ସହ ତାଳ ମିଳାଇ ମୋବାଇଲ୍ ବ୍ୟବହାର ହ୍ରାସ କରିବା, ସୁସ୍ଥ ଜୀବନଯାପନ ପ୍ରଣାଳୀ ଆପଣାଇବା, ଫିଟନେସକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ସହ ପରିବେଶ ଅନୁକୂଳ ଜୀବନଶୈଳୀକୁ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରୁଛି।
‘ସାଇକେଲରେ ରବିବାର’ ଭଳି ଅଭିଯାନ ମାଧ୍ୟମରେ ଓଡ଼ିଶା ସରକାର ନାଗରିକମାନଙ୍କୁ ପେଟ୍ରୋଲ ଓ ଡିଜେଲ ଚାଳିତ ପରିବହନ ଉପରେ ନିର୍ଭରଶୀଳତା କମାଇବା, ମିତବ୍ୟୟିତା ଆପଣାଇବା ଏବଂ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନରେ ଯୋଗଦାନ ଦେବା ପାଇଁ କ୍ରମାଗତ ଭାବେ ପ୍ରୋତ୍ସାହିତ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୦୨୪ରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ‘ଫିଟ୍ ଇଣ୍ଡିଆ – ସାଇକେଲରେ ରବିବାର’ ଅଭିଯାନ ସମାଜରେ ଏକ ବଡ଼ ରୂପାନ୍ତରୀକରଣ ଆଣିବା ସହ ଏକ ବ୍ୟାପକ ଗଣ ଆନ୍ଦୋଳନରେ ପରିଣତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ଶ୍ରୀ ସୁଧାକର ନାୟକ; ଉପଶାସନ ସଚିବ ଶ୍ରୀ ଅମିତ କୁମାର ନାୟକ; ଓଏସଡି (OSD) ଶ୍ରୀ ଧିରୋଜ କୁମାର ପଟ୍ଟନାୟକ ଓ ସୋନାଲି ଶୁଭଦର୍ଶିନୀ; ବିଶିଷ୍ଟ କ୍ରୀଡ଼ାବିତ୍ ଅନୁପମା ସ୍ୱାଇଁ ଓ ଲୋମା ସ୍ୱାଇଁ ଏବଂ ବିଶିଷ୍ଟ ପାରା କ୍ରୀଡ଼ାବିତ୍ କମଳାକାନ୍ତ ନାୟକ, ସୁଚିତ୍ରା ପରିଡ଼ା ଓ ସୁନୀଲ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।
