ମାହାଙ୍ଗା,୧୪/୦୫/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ମାହାଙ୍ଗା ବ୍ଲକର ବହୁ ଚର୍ଚ୍ଚିତ ଅଧା ଅଧୁରା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଗୁରୁବାର ପୂର୍ବାହ୍ନରେ ଉଦଘାଟନ କରିଛନ୍ତି । ୨୦୧୮ ମସିହାରେ ମଧୁପୁର ଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ୨୦୨୪ ମସିହାରେ ପ୍ରକଳ୍ପ କାର୍ୟ୍ୟ ସମାପ୍ତ ପାଇଁ ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା । ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ୪୪ ଟି ଗ୍ରାମ ପଞ୍ଚାୟତର ୨୧୧ ଗ୍ରାମରେ ବସବାସ କରୁଥିବା ୫୦ ହଜାର ପରିବାରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇଦିଆଯିବାର ପ୍ରତିଶୃତି ଦିଆଯାଇଥିଲା । ଦୀର୍ଘ ୭ ବର୍ଷ ଅତିକ୍ରାନ୍ତ ସତ୍ୱେ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ହୋଇପାରିନଥିବା ଅଭିଯୋଗ ହୋଇଛି ।

ବିରୋଧି କଂଗ୍ରେସ ଉଦଘାଟନ କାର୍ୟ୍ୟକୁ ବିରୋଧ କରିବାରୁ ଦଳୀୟ କର୍ମୀ ଓ ନେତାଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି ପାଣି ପାଉନଥିବା ଗ୍ରାମର ମହିଳା ମାନେ ମନ୍ତ୍ରୀଙ୍କୁ ରାସ୍ତାରେ ଘେରି ଅଧା ପଡ଼ିଥିବା ପ୍ରକଳ୍ପ କାହିଁକି ଉଦଘାଟନ ହେଉଛି ବୋଲି ପ୍ରଶ୍ନ କରିଥିଲେ । ମନ୍ତ୍ରୀ ରବି ନାରାୟଣ ନାଏକ ସଭା ମଞ୍ଚରୁ ଉଦଘାଟନ ଓ ଅନ୍ୟାନ୍ୟ ପ୍ରକଳ୍ପ ଶିଳାନ୍ୟାସ କରି ଫେରିଯାଇଥିଲେ । ସ୍ଥାନୀୟ ବିଧାୟକ ଶାରଦା ପ୍ରଧାନ ସଭାରେ ଅଧ୍ୟକ୍ଷତା କରିଥିଲେ । ବହୁ ପଞ୍ଚାୟତରେ ଏବେବି ପାଇପ ପଡିବା କାର୍ୟ୍ୟ ଜାରିରହିଛି । ଲୋକଙ୍କୁ ପିଇବା ପାଣି ମୁନ୍ଦାଏ ଯୋଗାଇବାରେ ବିଭାଗ ବିଫଳ ହେବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।
ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ,ମନ୍ତ୍ରୀଙ୍କୁ ଆପତ୍ତି କଲେ ଜଳକ୍ଲୀଷ୍ଟ ମହିଳା
