ବଳଦେବସେନା ମୁଖ୍ୟ ଉପଦେଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୩/୦୫/୨୦୨୬ (ଓଡ଼ିଶା ସମାଚାର)- ଶ୍ରୀବଳଦେବଜୀଉଙ୍କ ମନ୍ଦିର ସେବକ, ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ତଥା ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପଙ୍କ ସ୍ମୃତିରେ ବଳଦେବ ସେନା ପକ୍ଷରୁ ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବଳଦେବ ସେନାର ଉପସଭାପତି ନିରଞ୍ଜନ ସୁଆରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଣ୍ଡିତ ହୃଷୀକେଶ ରଥ, ମେଜର ଭରତ ଚନ୍ଦ୍ର ଜେନା, ଶ୍ରୀଧର ମହାନ୍ତି, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀ, ଆଡଭୋକେଟ୍ ସଞ୍ଜୟ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମେକାପଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେନା ସଭାପତି ପପୁନ କୁମାର ସ୍ୱାଇଁ କହିଥିଲେ ନିରଞ୍ଜନ ସାର୍ ସେନାର ଜଣେ ମାର୍ଗଦର୍ଶକ ଥିଲେ ।

ବଳଦେବ ସେନାକୁ ଆଗକୁ ବଢ଼ାଇବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ସଦାସର୍ବଦା ଯୁବମାନଙ୍କୁ ନିର୍ଭୟ ହୋଇ ସତ୍ୟ ଓ ନ୍ୟାୟ ପଥରେ କାମ କରିବାକୁ ପ୍ରେରଣା ଦେଉଥିଲେ । ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସଦା ସ୍ୱର ଉତୋଳନ କରୁଥିଲେ । ତାଙ୍କର ଅକାଳ ବିୟୋଗ ସେନା ଓ ସମଗ୍ର ଜିଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ରଚିତ ବହୁ ପୁସ୍ତକ ମଧ୍ୟରୁ “ନୈବିଦ୍ୟ ରସାବଳୀ” ପୁସ୍ତକ ରସାବଳୀକୁ ଜିଆଇ ମାନ୍ୟତା ପ୍ରଦାନରେ ବିଶେଷ ସହାୟକ ହୋଇଥିôଲା । ସେ ମହାପ୍ରଭୁଙ୍କ ନୂତନ ରଥ ନିର୍ମାଣର ମୁଖ୍ୟ ପୁରୋଧା ଥିଲେ । ତାଙ୍କ ନେତୃତ୍ୱରେ ବଳଦେବ ସେନା ପ୍ରଥମେ ଜିଲା ପ୍ରଶାସନ ନିକଟରେ ନୂତନ ରଥ ନିର୍ମାଣ ପାଇଁ ଦାବି ଉଠାଇଥିଲା । ତୁଳସୀ କ୍ଷେତ୍ରର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ସେ ସଦା ସଂଗ୍ରାମ ଜାରି ରଖିଥିଲେ ।

ତାଙ୍କର ଗବେଷଣା କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଥିଲେ । ଏହି ଅବସରରେ ନିରଞ୍ଜନ ମେକାପଙ୍କ ସୁପୁତ୍ର ନୀଳାଦ୍ରି କେଶରୀଙ୍କୁ ନିରଞ୍ଜନ ସାରଙ୍କ ସମସ୍ତ ଅଧୂରା କାର୍ଯ୍ୟ ପୂରଣ କରିବା ପାଇଁ ବଳଦେବ ସେନା ସଦାସର୍ବଦା ସହଯୋଗ ଓ ସମର୍ଥନର ଆଶ୍ୱାସନା ଦେଇଥିଲା । ସେହିପରି ମହାପ୍ରଭୁଙ୍କ ମନ୍ଦିରର ଉନ୍ନତି ଓ କେନ୍ଦ୍ରାପଡ଼ା ଜିଲାର ବିକାଶ ପାଇଁ ନିରଞ୍ଜନ ସାରଙ୍କ ଅଧୂରା ସ୍ୱପ୍ନ ଓ କଳ୍ପନାକୁ ସାକାର କରିବାକୁ ବଳଦେବ ସେନାର ସମସ୍ତ ସଦସ୍ୟ ପ୍ରତିଜ୍ଞା ବଦ୍ଧ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧିରେନ୍ଦ୍ର ଦାସ, ମଧୁସୂଦନ ନାୟକ, ଶୁଭକାନ୍ତ ଷଡ଼ଙ୍ଗୀ, ରମେଶ ଚନ୍ଦ୍ର, ସେନା ଉପଦେଷ୍ଟା ଉମାକାନ୍ତ ବଳ, ରଞ୍ଜନ କୁମାର ପୃଷ୍ଟି, ସମ୍ପାଦକ ଅମର କୁମାର ବାରିକ, ସହ-ସମ୍ପାଦକ ଆଶୁତୋଷ ପଣ୍ଡା, ସୂଚନା ପ୍ରମୁଖ ଆଶିଷ ପ୍ରଧାନ, ସୁରକ୍ଷା ପ୍ରମୁଖ ଦୀପକ କୁମାର ନାୟକ, କୋଷାଧ୍ୟକ୍ଷ ହିମାଂଶୁ ରାଉତ, ସଫେଇ ପ୍ରମୁଖ ଅନିଶ ସୂତାର, ଚନ୍ଦନ ସ୍ୱାଇଁ, ଉମେଶ ବେହେରା, ବିକାଶ ବେହେରା, ପ୍ରକାଶ ଗୋଛାୟତ, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *