ମେଁ ୨୦ରେ ଓଡ଼ିଶା ସମେତ ଭାରତର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ-ୟୁସିଡିଏ

ଭୁବନେଶ୍ୱର,୧୩/୦୫/୨୦୨୬(ଓଡ଼ିଶା ସମାଚାର)- ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ମେଁ ୨୦ ତାରିଖରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ୩୦୦୦୦ରୁ ଅଧିକ ଔଷଧ ଦୋକାନ ବନ୍ଦ ରହିବ । ଡ୍ରଗ୍ସ ଆଣ୍ଡ କସମେଟିକ୍ ନିୟମ ଅନୁଯାୟୀ ଅନଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନହିଁ । କୋଭିଡ଼ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନଲାଇନରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ । ହେଲେ ଆଜି ସ୍ଥିତି ସୁଧୁରିଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାଁନ୍ତି ଯାହାକି ଆମର ୩୦୦୦୦ ସଭ୍ୟଙ୍କ ବ୍ୟାପରରେ ବ୍ୟାଘାତ ହେବା ସହିତ ୨.୫ ଲକ୍ଷ ପରିବାରଙ୍କ ଚିନ୍ତାର କାରଣ ପାଲଟିଛି ।

ଅନେକ ଆପତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବା କଥା ନୁହେଁ, ତାହା ଆଜି ସହଜ ଭାବରେ ଉପଲବ୍ଧ ହେଉଛି । ଅନେକ ନିଶା ବଟିକା ଅନଲାଇନରେ ଅତି ସହଜରେ ମିଳୁଛି, ଯାହା ଯୁବପିଢିଙ୍କୁ ବିପଥଗାମୀ କରୁଛି । ଔଷଧ ବ୍ୟବସାୟର ଲାଭାଂଶ ଓ ଏମ୍.ଆର.ପି. ଯାହା ସରକାରଙ୍କ ଦ୍ୱାରା ସ୍ଥିରୀକୃତ (ଏନପିପିଏ / ଡିପିସିଓ) ହୋଇଥାଏ ତା’ଠାରୁ ଅତି ଅଧିକ ମାତ୍ରାରେ ରିହାତିରେ ଔଷଧ ଅନଲାଇନରେ ମିଳୁଛି, ଯାହା ସାଧାରଣ ବ୍ୟବସାୟୀଙ୍କୁ ଅନେକ କ୍ଷତି ପହଂଚାଉଛି । ବିନା ଫାର୍ମାସିଷ୍ଟଙ୍କ ତତ୍ୱାବଧାନରେ ଔଷଧ, ଗ୍ରାହକ ଗ୍ରହଣ କରି ସେବନ କରୁଥିବାରୁ, ଆନ୍ଟିିବାଓଟିକ୍ ରେଜିଷ୍ଟାନ୍ସର ମାତ୍ରା ବଢି ବଢି ଯାଉଛି । ତେଣୁ ଆମର ଦାବି କୋଭିଡ଼ ସମୟ ଜରୁରୀ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଧ କରାଯାଉ ଓ ଅନଲାଇନ ଔଷଧ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଅତ୍ୟଧିକ ରିହାତି ପ୍ରଦାନକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ।

ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ଯତ୍ନବାନ ହୁଅନ୍ତୁ । ଯଦି ଅନଲାଇନ ଔଷଧ ବିକ୍ରି ବନ୍ଦ କରାନଯାଏ, ତେବେ ଆସନ୍ତା ମେଁ ୨୦ ତାରିଖରେ ଓଡ଼ିଶା ସମେତ ଭାରତର ସମସ୍ତ ଔଷଧ ବ୍ୟବସାୟୀ ତାଙ୍କର ଦୋକାନ ବନ୍ଦ ରଖିବେ । ଏଥିପାଇଁ ଯଦି କୌଣସି ଅଘଟଣ ବା ଦୁର୍ଘଟଣା ଘଟେ ତେବେ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ । ଆଗାମୀ ଭବିଷ୍ୟତରେ ଯଦି ଏ ପରିସ୍ଥିତିର କୌଣସି ସମାଧାନ ନହୁଏ, ତେବେ ଅନିର୍ଦିଷ୍ଟ କାଳ ପାଇଁ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ଏହା ୟୁ.ସି.ଡି.ଏ ଏବଂ ସର୍ବଭାରତୀୟ ସଂଘ (ଏ.ଆଇ.ଓ.ସି.ଡି.)ର ଚରମ ନିଷ୍ପତିି ହେବ ବୋଲି ୟୁସିଡ଼ିଏର ସଭାପତି ପି ସତ୍ୟନାରାୟଣ ଏବଂ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *