ଲକ୍ଷ୍ମୀପୁର,୧୩/୦୫/୨୦୨୬(ଓଡ଼ିଶା ସମାଚାର)- ଲକ୍ଷ୍ମୀପୁର ବ୍ଲକ୍ ଚମ୍ପି ପଞ୍ଚାୟତ ଅନ୍ତର୍ଗତ ତଳ ବିଳାଙ୍ଗସିଲ ଗ୍ରାମର ଅଙ୍ଗନବାଡି କର୍ମୀ ଆଜି ଏକ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ମୁତାବକ ଅଙ୍ଗନବାଡି କର୍ମୀ କାଞ୍ଚନ ବିଡ଼ିକା ଲକ୍ଷ୍ମୀପୁର ରୁ ନିଜ କାର୍ଯ୍ୟାଳୟ ଯିବା ପାଇଁ ଆଜି ସକାଳୁ ବାହାରିଥିଲେ।
ହେଲେ ବାଟରେ ତଳ ବିଳାଙ୍ଗସିଲ ଗ୍ରାମର ଜଣେ ଯୁବକ ପୁରୁଷୋତମ ମାଣ୍ଡିଙ୍ଗା ତାଙ୍କୁ ଲିଫ୍ଟ ଦେଇ ନିଜ ବାଇକରେ ଯାଉଥିବା ବେଳେ ଘୁଷୁରା ଗୁଡା ଗ୍ରାମ ନିକଟ ଏକ ବୁଲାଣିରେ ସାମନା ପଟୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।
ଫଳରେ କାଞ୍ଚନ ବିଡ଼ିକା ଓ ପୁରୁଷୋତମ ଆହତ ହୋଇଥିଲେ। ଗ୍ରାମବାସୀ ଓ ଅନ୍ୟ ଅଙ୍ଗନବାଡି କର୍ମୀ ମାନେ ଦୁହିଁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଇଥିଲେ। ଆହତ କାଞ୍ଚନ ଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା କରାଇ ଅଧିକ ଚିକିତ୍ସା ପାଇଁ କୋରାପୁଟ ଏସ.ଏଲ.ଏନ ମେଡିକାଲ କଲେଜ କୁ ସ୍ଥାନାନ୍ତର କରିଥିବା ବେଳେ ଖବର ଲେଖା ହେବା ସୁଧା ପୁରୁଷୋତମ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଥିବା ସୂଚନା ମିଳିଛି।
