ଦେଶୀ ବନ୍ଧୁକ, ଗୁଳିର ଖୋକା, ହଳେ ଚପଲ, ରକ୍ତ ଲଗା ଏକ ଭୁଜାଲି ଜବତ
ଝାରସୁଗୁଡ଼ା, ୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ଗାନ୍ଧୀନଗର ଅଂଚଳରେ ସୋମବାର ଦିନ ହୋଇଥିବା ହତ୍ୟାକାଣ୍ଡ ଘଟଣାର ଦୁଇ ଅଭିଯୁକ୍ତ ଙ୍କୁ ପୋଲିସ ଏନକାଉନ୍ଟର କରିଛି । ବେଲପାହଡ଼ – ହେମଗିରି ରାସ୍ତାରେ କରଲାଖମନ୍ ଜଙ୍ଗଲ ରେ ଉଭୟଙ୍କୁ ପୁଲିସ କାବୁ କରିବା ବେଳେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକ୍ୁ ଉଦ୍ୟମ କରିଥିଲେ । ପୋଲିସ ର ପାଲଟା ଗୁଳିରେ ଉଭୟ ଜଖମ ହୋଇ ଖସିନପାରି କାବୁ ହୋଇଛନ୍ତି । କାବୁ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ବୁର୍ଲା ର ଚାନ୍ଦ ବନଛୋର (୨୫ ) ଓ ସୁନୀଲ ମହାନନ୍ଦ (୨୨) ।
ସେମାନେ ପୁଲିସ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାର ଜବାବରେ ପୁଲିସ ୪ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସ ର ଗୁଳି ଉଭୟଙ୍କ ଗୋଡ଼ରେ ବାଜିଥିଲା । ଦୁଇ ଅଭିଯୁକ୍ତ ଅପରାଧୀଙ୍କୁ ପ୍ରଥମେ ଲଖନପୁର ଡ଼ାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅସ୍ତ୍ରୋପଚାର କରାଯାଇ ଉଭୟଙ୍କୁ ଗୋଡ଼ରୁ ଗୁଳି ବାହାର କରାଯାଇଛି । ଏନକାଉନ୍ଟର ସ୍ଥଳରୁ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଏକ ଦେଶୀ ବନ୍ଧୁକ, ଗୁଳିର ଖୋକା, ହଳେ ଚପଲ, ରକ୍ତ ଲଗା ଏକ ଭୁଜାଲି ଜବତ କରିଛି । ଅଭିଯୁକ୍ତ ଙ୍କ ମଧ୍ୟରେ ଜଣେ ଏଚଆଇଭି ରୋଗୀ ବୋଲି ଜଣାପଡ଼ିଛି । ସୋମବାର ଦିନ ହତ୍ୟାକାଣ୍ଡ ଘଟଣାର ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଉଛନ୍ତି ବୁର୍ଲାର ପ୍ରଦୀପ ବନଛୋର,ପୁଷ୍ପା ବନଛୋର, କାର ଡ଼୍ରାଇଭର ଚୁଡ଼ାମଣି କଲେତ ।ଚାନ୍ଦ ଓ ସୁନୀଲ ଫେରାର ଥିଲେ । ସୋମବାର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସମସ୍ତ ୫ ଜଣ ଗିରଫ ହେଲେ ବୋଲି ଝାରସୁଗୁଡ଼ା ଏସପି ଜି ଆର ରାଘବେନ୍ଦ୍ର କହିଛନ୍ତି ।
