ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ବିକ୍ଷୋଭସ୍ଥଳରେ ଉଡ଼ିବ ଡ୍ରୋନ
ଭୁବନେଶ୍ୱର,୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ଆଜି ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ଅଧିବେଶନ ଆଜିଠୁ ଫେବୃଆରୀ ୨୧ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ରାଜ୍ୟପାଳ ଗୃହରେ ଉଦଘାଟନୀ ଅଭିଭାଷଣ ରଖିବେ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୧୭ତାରିଖରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବଜେଟ ଉପରେ ସାଧାରଣ ଆଲୋଚନା ଶେଷ ହେବା ପରେ ଫେବୃଆରୀ ୨୨ରୁ ଅଧିବେଶନ ସ୍ଥଗିତ ରହିବ।
ମାର୍ଚ୍ଚ ୭ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଗୃହରେ ଶାସକ ବିଜେପିକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛନ୍ତି।
ବୈଠକରେ ଧାନ ମଣ୍ଡି ଅବ୍ୟବସ୍ଥା, କଟନୀ-ଛଟନୀ, ପୁରୀ ଜିଲାରେ ଝାଡ଼ାବାନ୍ତି, ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍ରେ ଅବ୍ୟବସ୍ଥା, ଟିକଟ କଳାବଜାର, ବାତ୍ୟାରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା, ବଜେଟରେ ଓଡ଼ିଶାକୁ ପ୍ରାଧାନ୍ୟ ନ ଦେବା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସମେତ ଏକାଧିକ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ନିଷ୍ପତ୍ତି ହୋଇଥିବା ବିଧାୟକ ଗଣେଶ୍ବର ବେହେରା କହିଛନ୍ତି। ସେହିପରି କଂଗ୍ରେସର ମୁଖ୍ୟ ସଚେତକ ରାମଚନ୍ଦ୍ର କାଡ଼ାମ ମଧ୍ୟ ବିଧାନସଭାରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହାର ସଠିକ୍ ମୁକାବିଲା କରିବା ସହ ବିରୋଧୀଙ୍କୁ ଜବାବ ରଖିବା ଲାଗି ଶାସକ ଦଳ ପ୍ରସ୍ତୁତ ଥିବା ବିଜେପି ପକ୍ଷରୁ କୁହାଯାଇଛି।
ବିଧାନସଭା ବଜେଟ ଅଧିବେଶନ ପାଇଁ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିଛି। ବୁଧବାର ଅପରାହ୍ନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୟରେ ଟୁଇନ୍ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଦାୟିତ୍ୱରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିଜିପି ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ। ଭୁବନେଶ୍ୱର ଡିସିପି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେଉଛି। ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ସହ ୧୦୦ ଅଫିସରଙ୍କୁ ନିୟୋଜିତ କରାଯାଇଛି। ରୁଫଟପ୍ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯାଇଛି।
ଧାରଣାସ୍ଥଳ ମହାତ୍ମା ଗାନ୍ଧୀ ମାର୍ଗକୁ ସିସିଟିଭି ନଜରରେ ରଖାଯାଇଛି। କୌଣସି ଜରୁରିକାଳୀନ ପରିସ୍ଥିତି ପାଇଁ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, କୁଇକ୍ ରିଆକ୍ସନ୍ ଟିମ୍, ମୋବାଇଲ କୁଇକ୍ ରିଆକ୍ସନ୍ ଟିମ୍ ଏବଂ କମିଶନରେଟ୍ ପୋଲିସର କାଉଣ୍ଟର ଟେରରିଷ୍ଟ୍ ସ୍କ୍ବାଡ୍ (ସିଟିଏସ୍)କୁ ମଧ୍ୟ ସଜାଗ ରଖାଯାଇଛି। ବିଧାନସଭା ଭିତର, ପରିସର ଏବଂ ପିଏମ୍ଜି ଛକ ଆଦି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯାଇଛି। ଡଗ୍ ସ୍କ୍ବାଡ୍ ଓ ବମ୍ ସ୍କ୍ବାଡ୍ ମଧ୍ୟ ଯାଞ୍ଚ କରିବା ସହ ଜଗି ରହିଛନ୍ତି।
ଗଣମାଧ୍ୟମକୁ ପୋଲିସ ଡିଜି ଖୁରାନିଆ କହିଛନ୍ତି, ଏହି ଅଧିବେଶନ ପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସକୁ ଯାହା ଆବଶ୍ୟକ ଥିଲା ତାହା ପୋଲିସ ମୁଖ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି ଡିଜିପି କହିଛନ୍ତି। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ହୋଇଛି ବୋଲି ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି। ଉପାୟୁକ୍ତ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ରହିବ ଏହି ସୁରକ୍ଷା ବ୍ୟବସ୍ଥା। ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ।
୮ ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ୧୦୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ହେବେ। ସିସିଟିଭି ନଜରରେ ରହିବ ବିଧାନସଭା। ରାଲି ଓ ଧାରଣାକୁ ଦୃଷ୍ଟିରେ ରଖି ୫ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲିବ। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପନ୍ସ ଦଳ, ସ୍ପେଶାଲ ଟେକ୍ନିକାଲ ୟୁନିଟ ମୁତୟନ ରହିବେ। ବିଧାନସଭା ବେଳେ ଏକାଧିକ ସଂଗଠନ ବିକ୍ଷୋଭ କରିବେ। ଏହାକୁ ନଜରରେ ରଖି ପୁଲିସ ବିକ୍ଷୋଭସ୍ଥଳରେ ଡ୍ରୋନ ଉଡ଼ାଇବ।
ବିଧାନସଭାର ସୁରକ୍ଷାକୁ ଦୃଷ୍ଟିରେ ରଖି ଡ୍ରୋନର ସହାୟତା ନିଆଯିବ। ଅଧିବେଶନକୁ ଦୃଷ୍ଟିରେ ରଖି ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ପ୍ରବେଶ ଓ ପ୍ରସ୍ଥାନ ଛକରେ ଗାଡ଼ି ମୋଟର ଯାଞ୍ଚକୁ ପୁଲିସ ଗୁରୁତ୍ବ ଦେଇଛି। ହୋଟେଲ ଏବଂ ଲଜ୍ରେ ପୁଲିସ ତନଖି କରୁଛି । କମିସନରେଟ ପୁଲିସ ପୂରା ଭୁବନେଶ୍ବରକୁ ନାକାବନ୍ଦୀ କରିଛି। ଗୁଇନ୍ଦା କର୍ମଚାରୀ ସହରରେ ଘୂରି ବୁଲିବେ। ସାଦା ପୋଷାକଧାରୀ ପୁଲିସ ପଇଁତରା ମାରୁଛି। ଗାଡ଼ି ମୋଟର ଚଳାଚଳ ଉପରେ ମଧ୍ୟ ପୁଲିସ କଟକଣା ଜାରି କରିଛି। ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ଉପରେ କଟକଣା ରହିଛି। ଏଥିଲାଗି ଗାଡ଼ିର ଗତିପଥରେ ପରିବର୍ତ୍ତନ କରାଯାଇଛି। ୨୪ ଘଣ୍ଟା ସଜାଗ ରହିବାକୁ ସମସ୍ତ ଥାନା କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି।