ଜିଲ୍ଲା ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ – ୨୦୨୬ ପାଳିତ

ଜଗତସିଂହପୁର,୨୫/୦୩/୨୦୨୬ (ଓଡ଼ିଶା ସମାଚାର)- ତା ୨୪-୦୩-୨୦୨୬ ଦିନ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ “ବିଶ୍ଵ ଯକ୍ଷ୍ମା ଦିବସ” ପାଳନ ସହିତ “ଟିବି ମୁକ୍ତ ଭାରତ ୧୦୦ ଦିନର ଅଭିଯାନ ୨.୦” ର  ଶୁଭାରମ୍ଭ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ – ଡାକ୍ତର ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ଏହି କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ରଶ୍ମୀରଞ୍ଜନ ପଟ୍ଟନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ସରୋଜ କୁମାର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପ୍ରମୋଦ କୁମାର ବାରିକ, ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିରାକରଣ) ଡାକ୍ତର ବାସନ୍ତୀ ପାଲ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ପ୍ରତୀଚୀତନୟା ମହାନ୍ତି  ପ୍ରମୁଖ ଅତିଥି ଭାବେ ଯୋଗଦେଇ, ଏହି ଦିବସର ବାର୍ତ୍ତା “ହଁ, ଆମେ ଯକ୍ଷ୍ମା କୁ ଶେଷ କରିପାରିବା, ଭାରତର ନେତୃତ୍ୱରେ, ଜନ ସହାୟତା ବଳରେ” କୁ ନେଇ ଯକ୍ଷ୍ମା ରୋଗ ବିଷୟରେ ସଚେତନତା ଓ ଆଲୋଚନା କରିଥିଲେ ।

ଜିଲ୍ଲା କାର୍ଯକ୍ରମ ସଂଯୋଜକ ଯକ୍ଷ୍ମା ବିପିନ ବିହାରୀ ପାତ୍ର ପିପିଟି ଉପସ୍ଥାପନା ମାଧ୍ୟମରେ ବିଶ୍ଵ ଯକ୍ଷ୍ମା ଦିବସର ଉଦ୍ଦେଶ୍ୟ, ଯକ୍ଷ୍ମା ରୋଗର ପାଦୁର୍ଭାବ ଭାରତ ତଥା ବିଶ୍ଵରେ ଓ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନା କରିଥିଲେ ।  ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ ଏବଂ ଏହାର ଚିକିତ୍ସା ଓ ଚିହ୍ନଟ ସୁବିଧା ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ । ଏହାର ଅନ୍ତର୍ଗତ ଗୋଷ୍ଠୀ ସ୍ତରରେ ଟିବି ମୁକ୍ତ ଭାରତ ୧୦୦ ଦିନର ଅଭିଯାନ ୨.୦ର ଶୁଭାରମ୍ଭ କରାଯାଇଥିଲା । ପରିଶେଷରେ ପୁରସ୍କାର ପ୍ରଦାନ ସ୍ଵରୂପ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିରିଡ଼ି, ମଣ୍ଡାସାହି ଓ ନାଉଗାଁ କୁ ପୁରସ୍କୃତ କରା ଯାଇଥିଲା, ସେହିପରି ତିନିଜଣ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରିଣୀ ଓ ପ୍ରୟୋଗଶାଳା ବିଶେଷଜ୍ଞଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ପାଇଁ ପୁରସ୍କୃତ କରା   ଯାଇଥିଲା ।

 ଆୟୋଜିତ ଏହି ସଭାରେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତଥା ଅଧୀକ୍ଷକ ମାନେ, ବ୍ଲକ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ବ୍ଲକ କାର୍ଯକ୍ରମ ପରିଚାଳକ ଓ ପରିଚାଳିକା, ଟିବି ବିଜେତା, ନିକ୍ଷୟ ମିତ୍ର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯକ୍ରମକୁ ସହାକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର, ଜିଲ୍ଲା ସଂଯୋଜକ (ବେସରକାରୀ ଓ ସରକାରୀ) ଏମ.ଡି. ୱକର ଅଲି, ଜିଲ୍ଲା ସଂଯୋଜକ (ଜଟିଳ ଯକ୍ଷ୍ମା) ସୁଶୀଲ କୁମାର ସ୍ଵାଇଁ ଓ ହେମନ୍ତ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ସୁବ୍ରତ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *