ଆମ ସମୃଦ୍ଧ ହସ୍ତତନ୍ତ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିଛି : ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ
ଭୁବନେଶ୍ୱର,୦୫/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶାର ସମୃଦ୍ଧ ହସ୍ତତନ୍ତ ହେଉଛି ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଅସ୍ମିତାର ଜୀବନ୍ତ ପ୍ରତିଚ୍ଛବି । ଏହା ହଜାର ହଜାର ବୁଣାକାରଙ୍କୁ ଜୀବିକା ଯୋଗାଇବା ଶହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିଛି ବୋଲି ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ସ୍ଥାନୀୟ ବୟନ ଭବନ ସ୍ଥିତ ବୟନିକା ଅନନ୍ୟ ଶାଖାଠାରେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି (ବୟନିକା)ର ୭୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ କହିଛନ୍ତି, ବୟନିକା ବିଶ୍ଵାସ, ଭରଷା, ଗୌରବ, ଆତ୍ମନିର୍ଭରଶୀଳତା ଓ ଉତ୍କର୍ଷତାର ପ୍ରତୀକ ସାଜିଛି ।

ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସାତ ଦଶକର ଏହି ଯାତ୍ରାରେ ବୟନିକା ଏକ ବିଶ୍ଵାସଯୋଗ୍ୟ ପ୍ରତିଷ୍ଠାନ ଭାବେ ପରିଗଣିତ ହୋଇଛି । ୨୦୨୫–୨୬ ଆର୍ଥିକ ବର୍ଷରେ ବୟନିକା ₹୨୩୩.୫୬ କୋଟିର ବ୍ୟବସାୟ କରିଥିବାବେଳେ ୨୦୨୬–୨୭ ପାଇଁ ₹୨୮୦.୦୦ କୋଟିର ଲକ୍ଷ୍ୟ ରଖିଛି । ଏହା ଆମର ଉତ୍କୃଷ୍ଟ ପାରମ୍ପରିକ କୌଶଳକୁ ବଞ୍ଚାଇ ରଖିବା ସହ ହଜାର ହଜାର ବୁଣାକାରଶିଳ୍ପୀଙ୍କ ଜୀବିକାକୁ ସମର୍ଥନ କରି ବୟନ ଅସ୍ମିତାକୁ ସୁରକ୍ଷିତ ରଖିଛି । ବର୍ତ୍ତମାନ ବୟନିକାରେ ୬୫୮ ଟି ବୁଣାକାର ସମିତି ପଞ୍ଜିକୃତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରତିଷ୍ଠା ଦିବସ ଅବସରରେ ଗ୍ରାହକ ଆକର୍ଷଣ ବଢାଇବା ପାଇଁ ବୟନିକା ପକ୍ଷରୁ ଚାଲୁଥିବା ୨୦% ରିହାତି ଉପରେ ଅତିରିକ୍ତ ୧୦% ବିଶେଷ ରିହାତି ଦିଆଯାଉଛି । ଏହା ଦ୍ୱାରା ଗ୍ରାହକମାନେ ମୋଟ ୨୦% + ୧୦% ର ଲାଭ ଉଠାଇପାରିବେ । ଏହା ଗ୍ରାହକଙ୍କ ଆକର୍ଷଣ ବଢାଇବା ସହ ବୁଣାକାରମାନଙ୍କ ଆୟ ବୃଦ୍ଧିରେ ସିଧାସଳଖ ସହଯୋଗ କରିବ । ଏହି ବିଶେଷ ରିହାତି ସୁବିଧା ତିନି ଦିନ (ଚଳିତ ମଇ ୫, ୬ ଓ ୭ ତାରିଖ) ପାଇଁ ଉପଲବ୍ଧ ରହିବ ।
ଏହି କାର୍ଯ୍ୟକ୍ରମରେ ବୟନଶିଳ୍ପ ଏବଂ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ, ବୟନିକାର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶିକା ଡଃ ନିବେଦିତା ପୃଷ୍ଟି, ବିଭାଗୀୟ ଅଧିକାରୀ ତଥା ବୟନିକାର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
