ଜୁନାଗଡ, ୭/୮/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) ଜୁନାଗଡ ବ୍ଲକ ଅନ୍ତର୍ଗତ ତଲଜାରିଙ୍ଗ ଠାରେ ନିର୍ମାଣ ହେଉଥିବା ଇଣ୍ଡିଆନ ପଟାସ ଲିମିଟେଡ଼ କମ୍ପାନୀ ପକ୍ଷରୁ ଜୁନାଗଡ଼ ବ୍ଲକ ଅଞ୍ଚଳର ଲୋକଙ୍କୁ ଅଣଦେଖା କରି ଅନ୍ୟ ରାଜ୍ୟର ଲୋକଙ୍କୁ କାମ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ଶ୍ରମିକ ମାନେ ଭାରତୀୟ ମଜଦୂର ସଂଘର ସହଯୋଗରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାୟୀ ଗତ ୯ ତାରିଖରେ ଶ୍ରମିକ ମାନେ କାମ କରି ଘରକୁ ଫେରିବା ପରେ ଆଉ ସେମାନଙ୍କୁ କମ୍ପାନୀ ଭିତରକୁ ଛଡାଗଲା ନାହିଁ । ଏନେଇ ୫୧ ଜଣ ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ । ଶ୍ରମିକଙ୍କୁ କାମ ଯୋଗାଇ ଦେବା ନେଇ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଇଣ୍ଡିଆନ ପଟାସ ଲିମିଟେଡ଼କୁ ଚିଠି ମାଧ୍ୟମରେ ଜଣାଇଥିଲେ ।
ହେଲେ ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିଥିଲେ । ବର୍ତ୍ତମାନ କାମ ନ ପାଇବାରୁ ୫୧ ପରିବାର ଏବେ ଉପବାସରେ ଅଛନ୍ତି । ଫଳରେ ଅନ୍ୟ ଉପାୟ ନ ପାଇ କାମ ଯୋଗାଇ ଦେବା ଦାବିରେ କମ୍ପାନୀ ସମ୍ମୁଖରେ ଶ୍ରମିକ ମାନେ ରାସ୍ତାରୋକ କରିଛନ୍ତି । ରିପୋର୍ଟ ଲେଖା ପର୍ୟ୍ୟନ୍ତ ଏନେଇ କୌଣସି ସମାଧାନ ହୋଇନଥିଲା ।