ଭୁବନେଶ୍ୱର, ୦୫/୧୨/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ତରଫରୁ ଚାକିରି ନିୟମିତ ଦାବିରେ ଗୁରୁବାର କଂଗ୍ରେସ ଭବନ ସମ୍ମୁଖରୁ ଏକ ବିଶାଳ ରାଲିରେ ବାହାରି ଲୋୟର ପିଏମଜି ଅଭିମୁଖେ ଯାଇଥିଲା । ସେଠାରେ ପୋଲିସ୍ ବ୍ୟାରିଗେଟ ପାଖରେ ପହଂଚି ପୋଲିସ୍ ପ୍ରଶାସନଙ୍କୁ ସମ୍ମାନ ଜଣାଇ ସେହିଠାରେ ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ରାଜ୍ୟର ସମସ୍ତ ଜିଲା, ରାଜ୍ୟ ନେତୃତ୍ୱମାନେ ୧୨ ବର୍ଷର ଏକ କୁତ୍ସିତ ପ୍ରଥା ପାର୍ଟ ଟାଇମକୁ ଉଚ୍ଛେଦ କରି କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ନୂତନ ସରକାରଙ୍କୁ ଅନୁରୋଧ କରିଥିଲେ ।
ଦୀର୍ଘ ୧୨ ବର୍ଷ ଧରି ସ୍ୱଳ୍ପ ପାରିଶ୍ରମିକରେ ବିିଦ୍ୟାଳୟକୁ ଯାଇ କାର୍ଯ୍ୟ କରିବା ବର୍ତମାନ ମହଙ୍ଗା ଯୁଗରେ ସମ୍ଭବପର ହୋଇପାରୁ ନାହିଁ । ସମାଜରେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇପଡ଼ିଛି । ଶିକ୍ଷକ ସମ୍ପ୍ରଦାୟ ମଧ୍ୟ ଉପହାସ କଲେଣି । ତେଣୁ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଏ ସମସ୍ତ ବିଷୟ ସରକାରଙ୍କୁ ଅବଗତ କରାଇବା ସହ ପାର୍ଟ ଟାଇମ ନିଯୁକ୍ତିକୁ ନିୟମିତ କରିବା ଦାବିରେ ଅଟଳ ରହିଥିଲେ । ସରକାରଙ୍କ ଦପ୍ତରରୁ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଡାକରା ଆସିଥିଲେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି ଡେଲିଗେସନକୁ କଳା ଓ କ୍ରୀଡ଼ା ଶିକ୍ଷକମାନେ ଜଣାଇଥିଲେ । ତେଣୁ ଆନ୍ଦୋଳନରେ ଉପସ୍ଥିତ ମହାସଂଘର ସଭାପତି ପାଣ୍ଡବ ବିଶିଙ୍କ ମତାମତ ଅନୁସାରେ ଯେପର୍ଯ୍ୟନ୍ତ ଏକ ସୌଜନ୍ୟମୂଳକ ଆଲୋଚନା ହୋଇ କଳା ଓ କ୍ରୀଡ଼ା ଶିକ୍ଷମାନଙ୍କୁ ନିୟମିତ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପ୍ରେରଣ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ମହାସଂଘ ତରଫରୁ ନିଷ୍ପତିି ନିଆଯାଇଛି ।