ପୋଲିସର ଉଦାସୀନତା ପ୍ରତିବାଦରେ ଏସପିଙ୍କୁ ଅଭିଯୋଗ କଲା ମହିଳା ସଂଗଠନ
କେନ୍ଦ୍ରାପଡ଼ା, ୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ଜନୈକ ମହିଳାଙ୍କୁ ନିର୍ଯ୍ୟାତନା ଦେବା ସହ ଇଜ୍ଜତ ନେବା ଓ ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସର ଉଦାସୀନତା ପ୍ରତିବାଦରେ ମହିଳା ସଂଗଠନ ଗୁଡିକ ସହ ନିର୍ଯ୍ୟାତିତା ମହିଳା ଆଜି ଏସପିଙ୍କ ଉଦେଶ୍ୟରେ ଏକ ଲିଖିତ ଅଭିଯୋଗ ଡିଏସପି ଲକ୍ଷ୍ମୀନାରାୟଣ ତିୱାରୀଙ୍କୁ ପ୍ରଦାନ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ କୁଦାନଗରୀ ଥାନା ଅଧିନ ଡିହ ବଳରାମପୁର ଗ୍ରାମର ଦେବକାନ୍ତ ସାହୁଙ୍କ ପତ୍ନୀ ଶୁଭଲକ୍ଷ୍ମୀ ସ୍ୱାଇଁ କେନ୍ଦ୍ରାପଡା ସହରର ଜନୈକ ବ୍ୟକ୍ତିଙ୍କ ଠାରୁ ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ନିମନ୍ତେ କିଛି ଟଙ୍କା ଉଧାର ନେଇଥିଲେ । ସେଥିରୁ ୭୫ହଜାର ଟଙ୍କା ସେ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିବା ବେଳେ ଆଉ କିଛି ଟଙ୍କା ରହିଯାଇଥିଲା । ସେ ନିଜର ଚିକିତ୍ସା ନିମନ୍ତେ କଟକ ଯାଇଥିବା ବେଳେ ଘରେ ତାଙ୍କ ବଡ ଭଉଣୀ ଓ ରୋଗଗ୍ରସ୍ତ ବୃଦ୍ଧାବାପା ଥିଲେ । ଗତ ଅପ୍ରେଲମାସ ୨୬ତାରିଖ ରାତି ପ୍ରାୟ ୧୦ଟା ବେଳେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ସଙ୍ଗରେ ୪ଜଣ ଗୁଣ୍ଡାଶ୍ରେଣୀର ଲୋକଙ୍କୁ ନେଇ ତାଙ୍କ ଡିହ ବଳରାମପୁରସ୍ଥିତ ଘର ନିକଟରେ ପହଂଚି ତାଙ୍କ କବାଟକୁ ଯୋରରେ ବାଡେଇଥିଲେ ।
ଫଳରେ ତାଙ୍କ ବଡଭଉଣୀ କବାଟ ଭାଙ୍ଗିଯିବାର ଆଶଙ୍କା କରି କବାଟ ଖୋଲିଦେଇଥିଲେ । ଫଳରେ ଏହି ବ୍ୟକ୍ତିଜଣଙ୍କ ଗୁଣ୍ଡାମାନଙ୍କ ସହ ତାଙ୍କ ଘର ଭିତରେ ପଶି ତାଙ୍କ ଭଉଣୀଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଦେବେନ୍ଦ୍ର ସାହୁଙ୍କୁ ଉଠାଇ ନେବେ ବୋଲି ଧମକ ଦେଇଥିଲେ । ତାଙ୍କ ଭଉଣୀ ସେମାନେ ଘରେନାହାନ୍ତି ବୋଲି କହିବା ସତ୍ୱେ ଅଭିଯୁକ୍ତମାନେ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜକରି ଫୋପଡା କଚଡା କରିବାରୁ ତାଙ୍କ ଭଉଣୀ ପାଖ ପଡୋଶୀଙ୍କୁ ଫୋନ କରିଦେଇଥିଲେ । ଫଳରେ ସେମାନେ ଆସିଯିବାରୁ ଅଭିଯୁକ୍ତମାନେ ସ୍ଥାନ ଛାଡି ପଳାଇ ଯାଇଥିଲେ । ଏସମ୍ପର୍କରେ ତାଙ୍କ ଭଉଣୀ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେବି ପୋଲିସ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଅଭିଯୁକ୍ତ ଟେଲିଫୋନ ଯୋଗେ ଶୁଭଲକ୍ଷ୍ମୀଙ୍କୁ ଧମକ ଦେଇ ତାଙ୍କ ଇଜ୍ଜତ ନେବା ସହ ପରିବାରକୁ ମାରିଦେବାକୁ ଧମକ ଦେଇଥଲେ ।
ଏସମ୍ପର୍କରେ ମଧ୍ୟ ଶୁଭଲକ୍ଷ୍ମୀ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଶୁଭଲକ୍ଷ୍ମୀଙ୍କ ପରିବାର ଜୀବନ ଅସୁରକ୍ଷିତ ହୋଇପଡିଥିବାରୁ ତାଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ଶୁଭଲକ୍ଷ୍ମୀଙ୍କ ସମେତ ରାଷ୍ଟ୍ରୀୟ ସମାଜସେବୀ ପରିଷଦ ରାଜ୍ୟ ସଭାନେତ୍ରୀ ପଦ୍ମାବତୀ ଦେହୁରୀ, କେଏସପି ସଭାନେତ୍ରୀ ସୌଦାମିନୀ ସୁତାର, ଡିକେଏଲ ସଭାନେତ୍ରୀ ରଜନୀଗନ୍ଧା ବାରିକ, ବାବା ଆମ୍ବେଦକର ସଂଗଠନର ବିଳାସିନୀ ମଲିକ,ନିରୂପମା ମଳିକ, ଲିପି ମଲିକ, ମଞ୍ଜୁଲତା ମଳିକ, ମୋନିକା ମୋଦି, ଝରଣା ମଲିକ, ସମାଜକଲ୍ୟାଣ ମହାସଂଘର ରାଜ୍ୟ ସଂଯୋଜକ ସୁବ୍ରତ କୁମାର ଶତପଥୀ ପ୍ରମୁଖ ଡିଏସପି ଶ୍ରୀ ତିୱାରୀଙ୍କୁ ଭେଟି ଏସପିଙ୍କ ଉଦେଶ୍ୟରେ ଦାବିପତ୍ର ଦେବା ସହିତ ଆସନ୍ତା ୧୫ଦିନ ମଧ୍ୟରେ ସେମାନଙ୍କ ଦାବି ପୁରଣ ନହେଲେ ସେମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
