ଗୁରୁ ପୂଜନ ଉତ୍ସବ-୨୦୨୬

ଭୁବନେଶ୍ୱର,୦୩/୦୫/୨୦୨୬(ଓଡ଼ିଶା ସମାଚାର)- ଅନ୍ତଦ୍ଧ୍ୱର୍ନୀ ଏକାଡ଼େମୀ ଅଫ କଲଚରାଲ ଆଣ୍ଡ ସୋସିଆଲ ୱେଲଫେୟାର ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ “ଗୁରୁ ପୂଜନ ଉତ୍ସବ-୨୦୨୬” ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁ ଡ. ସନ୍ଦୀପ କୁମାର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଭବ୍ୟ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଧେଶିକା ସୁଚିସ୍ମିତା ମନ୍ତ୍ରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବା ନିବୃ ଶ୍ରୀଯୁକ୍ତ ଅରବିନ୍ଦ ବେହେରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନପ୍ରାପ୍ତ ମର୍ଦ୍ଧଳ ବାଦକ ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ଅସିତ କୁମାର ଦାସ ଏବଂ ଉପସଭାପତି ଶ୍ରୀମତୀ ମୀରା ପଣ୍ଡା ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସଙ୍ଗୀତଜ୍ଞ, ତବଲା ବାଦକ ତଥା ଯୋଗ ବିଶେଷଜ୍ଞ ଡ. ଶୁଶିଲ କୁମାର ପଟ୍ଟନାୟକ ।


ଏହି “ଗୁରୁ ପୂଜନ ଉତ୍ସବ-୨୦୨୬”କୁ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତଜ୍ଞ ୰ ବାଳକୃଷ୍ଣ ଦାଶ, ଗୁରୁ ୰ ମାର୍କଣ୍ଡେୟ ମହାପାତ୍ର, ପ୍ରଖ୍ୟାତ ମର୍ଦ୍ଧଳ ବାଦକ ଗୁରୁ ୰ ବନମାଳୀ ମହାରଣା, ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ୰ ଉମେଶଚନ୍ଦ୍ର କର, ତବଲା ବାଦକ ଗୁରୁ ୰ କୁଳମଣି ଜେନା, ହିନ୍ଦୁସ୍ତାନୀ ସଙ୍ଗୀତ ଓ ଉଡ୍ର ପଦ୍ଧତିର ପ୍ରଖ୍ୟାତ ସଙ୍ଗୀତଜ୍ଞ ପଦ୍ମକେଶରୀ ଡ. ଦାମୋଦର ହେତା, ପ୍ରଖ୍ୟାତ ବେହେଲା ବାଦକ ଗୁରୁ ୰ ମହମ୍ମଦ ହମିଦ ଆହଜ ଏବଂ ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ସୁରମଣି ୰ ବାଉରୀବନ୍ଧୁ ସେଠୀଙ୍କ ସ୍ମୃତିରେ ସମର୍ପଣ କରାଯାଇଥିବାରୁ ଅନ୍ତଦ୍ଧ୍ୱର୍ନୀ ଏକାଡ଼େମୀର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ଅତିଥିମାନେ ସାଧୁବାଦ ଜଣାଇବା ସହିତ ଏହାଦ୍ୱାରା ନୂତନ ପିଢିର କଳାକାରମାନେ ଗୁରୁଶିଷ୍ୟ ପରମ୍ପରାର ପ୍ରେରଣା ଲାଭ କରିପାରିବେ ଏବଂ ନିଜକୁ ଜଣେ ଶୃଙ୍ଖଳିତ ସଙ୍ଗୀତ ଶିଳ୍ପୀ ଭାବରେ ସାଧନା ଜାରି ରଖି ଆଗାମୀ ଦିନରେ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀମତୀ ମୀରା ପଣ୍ଡା ଗଣେଶ ସ୍ତୁତି ଓ ସରସ୍ୱତୀ ବନ୍ଦନା ଗାନ କରିଥିଲେ । ବିଶିଷ୍ଟ ସଙ୍ଗୀତଜ୍ଞ ସୀତାର ବାଦକ ଶ୍ରୀଯୁକ୍ତ ସୁବୀର କୁମାର ମିତ୍ର ତାଳ-ଝାଁପ ତାଳରେ ରାଗ-ରାଗେଶ୍ରୀ ଏବଂ ତାଳ ରୂପକରେ ରାଗ-ହମୀର ବାଦନ ସହିତ ରାଗ ଖମାଜରେ ଧୂନ୍ ପରିବେଷଣ କରିଥିବା ବେଳେ ତବଲାରେ ସହଯୋଗ କରିଥିଲେ ଯୁବ ତବଲା ବାଦକ ଗୁରୁ ସୁରେଶ କୁମାର ବେହେରା । ଯନ୍ତ୍ର ସଙ୍ଗୀତ ବେହେଲା ଓ ଗୀଟାର ଯୁଗଳବନ୍ଦୀରେ ଗୁରୁ ଡ. ପ୍ରଶାନ୍ତ କୁମାର ପାଢୀ ଏବଂ ଗୁରୁ ବିଶ୍ୱରଞ୍ଜନ ମିଶ୍ର ରାଗ-ମାରୁ ବିହାଗ ତାଳ ବିଳମ୍ବିତ ଓ ତୃତ୍ ତିନ୍ ତାଳ ପରିବେଷଣ କରିଥିଲେ । ତାଙ୍କୁ ତବଲାରେ ସହଯୋଗ କରିଥିଲେ ଯୁବ ତବଲା ବାଦକ ଗୁରୁ ମାତୃପ୍ରସାଦ ପଣ୍ଡା । ଓଡ଼ିଶୀ ପର୍ଯ୍ୟାୟରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ରାଉତ ତାଳ ଏକତାଳିରେ ରାଗ ମୁଖାରୀ ଗାୟନ କରିଥିଲେ ଏବଂ ତାଙ୍କୁ ମର୍ଦ୍ଧଳରେ ସହଯୋଗ କରିଥିଲେ ବରିଷ୍ଠ ମର୍ଦ୍ଧଳ ବାଦକ ଗୁରୁଶ୍ରୀ ସଚ୍ଚିଦାନନ୍ଦ ଦାସ । ଶାସ୍ତ୍ରୀୟ ସଙ୍ଗୀତ ସରୋଦ ଯୁଗଳବନ୍ଦୀରେ ଗୁରୁ ଡ. ସନ୍ଦୀପ କୁମାର ରାଉତ ଏବଂ ଡ. କୌଶିକ ସାମନ୍ତ ତିନିତାଳରେ ରାଗ-ଖାମାଜ ପରିବେଷଣ କରିଥିବା ବେଳେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଯୁବ ତବଲା ବାଦକ ଗୁରୁ ସୁଶାନ୍ତ କୁମାର ଜେନା ।

ସେହିପରି ତବଲାରେ ତାଳ ଧମାର୍ ପରିବେଷଣ କରିଥିଲେ ଗୁରୁ ଡ. ସନ୍ଦୀପ କୁମାର ରାଉତ । ଶେଷରେ ଗୁରୁ ହରିହର ରଥ ଏବଂ ତାଙ୍କୁ ସୁପୁତ୍ର ଯୁବ କଣ୍ଠଶିଳ୍ପୀ ଗୁରୁ ଅମିତ୍ ରଥ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ କ୍ରମରେ ଝାଁପତାଳରେ ଡ. ଦାମୋଦର ହୋତାଙ୍କ ସଂଯୋଜନାରେ ରାଗ ଗୋରାଖ କଲ୍ୟାଣ ‘ବିନତି ସୁନୋ ହୋ ମେରୀ ଆୱଧା ପୁରକେ ବସିୟା’ ଓ ପରେ ପରେ ପଣ୍ଡିତ ବଳବନ୍ଦ ରାୟ ଭଟ୍ଟଙ୍କ ରଚନା ଓ ସଂଯୋଜନାରେ ତାଳ ତି୍ରତାଳରେ ବନ୍ଦିଣ ‘ଖେଲୋନା ଚଲି ସୁନ୍ଦରୀ’ ଉଚ୍ଚକୋଟୀର ଗାୟନ ପରିବେଷଣ କରିଥିଲେ । ଅନ୍ତଦ୍ଧ୍ୱର୍ନୀ ଏକାଡ଼େମୀର ଶିଳ୍ପୀମାନେ ଗୁରୁ ବନ୍ଦନା ଗାନ କରିଥିଲେ । ବିଭିନ୍ନ ବାଯ୍ୟଯନ୍ତ୍ରରେ ସନ୍ତୋଷ କୁମାର ଦାସ, ଶୁଭାଶିଷ ମହାପାତ୍ର, ଲଳିତ କୁମାର କର, ଆଲୋକ କୁମାର ସାହୁ, ସୌରଭ ଗୋସ୍ୱାମୀ ଏବଂ ଦିପ୍ତୀ ରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *