ଢ଼େଙ୍କାନାଳରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ।      

 ଭୁବନ.୦୧/୦୫/୨୦୨୬ (ଓଡ଼ିଶା ସମାଚାର)- ଆଜି ଢ଼େଙ୍କାନାଳରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ, ରାଷ୍ଟ୍ର ନିର୍ମାଣରେ ଶ୍ରମିକ ଭାଇ ଭଉଣୀମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କର ସହଯୋଗ ବିନା କୌଣସି ପ୍ରକାରର ନିର୍ମାଣ ସମ୍ଭବ ନୁହେଁ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ନିମନ୍ତେ ସେମାନଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ସମ୍ଭବ ହୋଇ ପାରୁଛି ବୋଲି ମତବ୍ୟକ୍ତ କରି ସେମାନଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ ।

କୌଣସି ଶ୍ରମିକ ଭାଇ ଭଉଣୀ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଲେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ ।  ସମ୍ମାନିତ ଅତିଥି ଭାବେ  ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଶ୍ରମିକ ଭାଇ ଭଉଣୀମାନଙ୍କ ବିନା କୌଣସି ପ୍ରକାରର ଉନ୍ନତି ସମ୍ଭବ ନୁହେଁ ବୋଲି ମତ ପ୍ରକାଶ କରିଥିଲେ । ଜିଲାର କୌଣସି ଶ୍ରମିକ ଭାଇ ଭଉଣୀ ଯେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାହାର ସମାଧାନ ପାଇଁ ତାଙ୍କର ପରାମର୍ଶ  ନେବାକୁ  ପୌର ଅଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର କହିଛନ୍ତି ।

ଏହି ଅବସରରେ ଶ୍ରମିକମାନଙ୍କ ପିଲାଙ୍କ ଶିକ୍ଷା, ବିବାହ, ପ୍ରସୂତି କାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତେଷ୍ଟିକ୍ରିୟା ପାଇଁ ୯୬୬ ଜଣ ହିତାଧିକାରୀଙ୍କୁ ଡ଼ି.ବି.ଟି . ମାଧ୍ୟମରେ ୫,୧୭,୧୩,୮୦୦ ଟଙ୍କା ର ସହାୟତା ରାଶି  ପ୍ରଦାନ କରାଯାଇଥିଲା ବେଳେ ୩୫୦ ଜଣଙ୍କୁ ପରିଚ଼ୟ ପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତପନ କୁମାର ସୁତାର ସ୍ୱାଗତ ଭାଷଣ ଦେଇଥିଲେ । ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ରମେଶ ଚନ୍ଦ୍ର ସେଠି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ  ଶ୍ରୀ ଦିପ୍ତୀ ରଂଜନ ସେଠୀ, ଡ଼ି.ଏସ.ପି. ଶ୍ରୀମତୀ କେ. ଜିସା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଭୂମିକା ଓ ଶ୍ରମ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ  ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *