ଭୁବନେଶ୍ୱର,୦୧/୦୫/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖ ଶନିବାର ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ ପକ୍ଷରୁ ଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବ୍ସାଇଟ୍ରୁ ଫଳ ଜାଣିପାରିବେ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।
ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତବର୍ଷ ରାଜ୍ୟରେ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା। ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲାବେଳେ ୩୦୮୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପ୍ରାୟ ୯ ହଜାର ୯୩୦ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଉଭୟ ଓଡିଆ ଓ ଇଂରାଜୀରେ ମାଟ୍ରିକ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।
