ଯାଜପୁର,୩୦/୦୪/୨୦୨୬ (ଓଡ଼ିଶା ସମାଚାର)- କମିଶନର ଅଫ୍ ଫୁଡ୍ ସେଫ୍ଟୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଟ୍ରେନିଂ ସହଯୋଗୀ ଉତ୍ସର୍ଗ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱଚ୍ଛତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତି ଏବଂ ବିତରଣ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଏହି ତାଲିମ ଦିଆଯାଇଛି।

ଏପ୍ରିଲ ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ତାଲିମ କାର୍ଯ୍ୟକ୍ରମ ଚାଲିଥିଲା। ୪ ଟି ବ୍ୟାଚରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ଅଙ୍ଗନୱାଡ଼ି କର୍ମୀ ଏଥିରେ ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ ତାଲିମ ଗ୍ରହଣ କରିଛନ୍ତି। ଫୁଡ୍ ସେଫ୍ଟୀ ଟ୍ରେନରଙ୍କ ଦ୍ଵାରା ଶିଶୁଙ୍କ ପାଇଁ ହେଉଥିବା ରନ୍ଧା ଖାଦ୍ୟର ସ୍ୱଚ୍ଛତା ବଜାୟ ରଖିବା, ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବା ସହ ଅଘଟଣ ରୋକିବା, ଖାଦ୍ୟ ସୁରକ୍ଷା ପଛର ବିଜ୍ଞାନ, ଖାଦ୍ୟ ସଂରକ୍ଷଣ ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।
ଏହାସହ ତାଲିମ ନେଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ଫୁଡ୍ ସେଫ୍ଟୀ ଟ୍ରେନିଂ ସାର୍ଟିଫିକେଟ ପ୍ରଦାନ କରାଯିବ। ଆଗକୁ ଅନଲାଇନ୍ ପଞ୍ଜୀକରଣ କରି ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଫୁଡ୍ ଲାଇସେନ୍ସ ପ୍ରଦାନ କରାଯିବା ନେଇ ମଧ୍ୟ ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ବିଜୟ କୁମାର ମିଶ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁଙ୍କ ସହ ବିଭାଗୀୟ ଅଧିକାରୀ ଏବଂ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ।
