ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ରାଜ୍ୟର ୨୭ଟି ଜିଲ୍ଲାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରାୟ ୧,୦୦୦ ଦମ୍ପତ୍ତି

ଭୁବନେଶ୍ୱର,୨୧/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ସମଗ୍ର ରାଜ୍ୟରେ ଏକ ଐତିହାସିକ ସଫଳତା ହାସଲ କରାଯାଇଛି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଆଜି ଓଡ଼ିଶାର ୨୭ଟି ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୧,୦୦୦ ଦମ୍ପତ୍ତିଙ୍କର ବିବାହ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଛି ।

ଏହି ପବିତ୍ର ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା,  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟକାରୀ ସଂସ୍ଥାଙ୍କର ମିଳିତ ଆନୁକୁଲ୍ୟରେ ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମରେ ୫୬ ନବଦମ୍ପତ୍ତିମାନଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଛନ୍ତି।କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱରର ଏହି ଗରିମାମୟ ମାଟିରେ ୫୦ରୁ ଅଧିକ ଦମ୍ପତ୍ତିଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ସେ ସମାଜରୁ ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ଭଳି କୁସଂସ୍କାରକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ପାଇଁ ଅଭିଭାବକ ଓ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ।

ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ମାନନୀୟ ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପ-ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ସମେତ ସ୍ଥାନୀୟ ବିଧାୟକଗଣ ଏବଂ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ତଥା ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ବର-କନ୍ୟାଙ୍କୁ ଆଶୀର୍ବାଦ କରିଥିଲେ ।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଆର୍ଥିକ ଅଭାବ କିମ୍ବା ସାମାଜିକ ଚାପ ଯୋଗୁଁ କନ୍ୟାଙ୍କ ବିବାହ ପାଇଁ କଷ୍ଟ ସହୁଥିବା ପରିବାରକୁ ସହାୟତା ପ୍ରଦାନ କରିବା । ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କ ପାଇଁ ମୋଟ ୬୦,୦୦୦ ଟଙ୍କାର ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ୪୫,୦୦୦ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପ୍ରଦାନ କରାଯାଉଥିବା ବେଳେ ଅବଶିଷ୍ଟ ୧୫,୦୦୦ ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ପାଇଁ ଖର୍ଚ୍ଚ କରାଯାଉଛି ।

-0-

ଅଲିଭା ଅଭିଲିପ୍ସା ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *