ଓଡ଼ିଆ ପକ୍ଷ : ବହି କିଣିବା ପାଇଁ ଯୁବ ପିଢ଼ିଙ୍କ ମଧ୍ୟରେ ଉତ୍ସାହ

ଭୁବନେଶ୍ୱର,୦୯/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିନରେ “ଆସ ବହିଟିଏ କିଣିବା ଅଭିଯାନ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିସହ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ମଧ୍ୟ ବିଭିନ୍ନ ପ୍ରକାଶନୀ ସଂସ୍ଥା ପକ୍ଷରୁ ପୁସ୍ତକ ଷ୍ଟଲ ଖୋଲାଯାଇଥିଲା। ପୁସ୍ତକ ଷ୍ଟଲମାନଙ୍କରେ ପାଠକମାନଙ୍କ ଭିଡ଼ ଜମିବା ସହ ବହୁ ପାଠକମାନେ ନିଜ ପାଇଁ ଏବଂ ନିଜ ବନ୍ଧୁ ପରିଜନଙ୍କ ପାଇଁ ବହି କିଣିଥିଲେ। ବହି କିଣିବା ସହ ଏହାର ସେଲ୍ଫି ଉଠାଇ ପାଠକମାନେ ଏହାକୁ ଓଡ଼ିଆ ପକ୍ଷ ୱେବ୍ସାଇଟ (odiapakhya.com)ରେ ମଧ୍ୟ ଅପଲୋଡ଼ କରିଛନ୍ତି।

ଆଜି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା “ଆସ ବହିଟିଏ କିଣିବା” ଅଭିଯାନ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଏବଂ ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ ପୁସ୍ତକ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏଥିସହ ନିଜେ ମଧ୍ୟ ପୁସ୍ତକ କିଣି “ଆସ ବହିଟିଏ କିଣିବା” ଅଭିଯାନରେ ନିଜକୁ ସାମିଲ କରିଥିଲେ।

“ପୁସ୍ତକ ହେଉଛି ଆମ ସମାଜର ଦର୍ପଣ। ଜଣେ ଲେଖକ ନିଜର ଲେଖନୀ ଚାଳନା କରି ଯେଉଁ ପୁସ୍ତକଟିଏ ରଚନା କରିଥାଏ ତାହା ଆମକୁ ଆମ ସମାଜର ବାସ୍ତବିକତା ସହ ପରିଚିତ କରାଇଥାଏ ଏବଂ ଏହା ଆମକୁ ଦିଗଦର୍ଶନ ମଧ୍ୟ ପ୍ରଦାନ କରିଥାଏ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ସହ ଆମ ଯୁବପିଢ଼ିକୁ ନିଜ ସଂସ୍କୃତି ସହ ପୁନଃ ସଂଯୋଜିତ କରିବା ନିମନ୍ତେ ପୁସ୍ତକ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଆଜିର ପୁସ୍ତକ ପ୍ରଦର୍ଶନୀରେ ଯୁବପିଢ଼ିଙ୍କ ଯୋଗଦାନ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପୁସ୍ତକ ପ୍ରତି ରହିଥିବା ଆଗ୍ରହ ଆମ ସମସ୍ତଙ୍କୁ ଉତ୍ସାହିତ କରିଛି” ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଆଜି “ଆସ ବହିଟିଏ କିଣିବା” ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ ଅବସରରେ ବିଶିଷ୍ଟ ଅତିଥିମାନଙ୍କୁ ଭାଗବତ ପୁସ୍ତକ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଓଡ଼ିଆ ପକ୍ଷ ପାଳନର ଦଶମ ଦିନ ଅର୍ଥାତ ଏପ୍ରିଲ ୧୦ ତାରିଖ ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ “ଲୋକ କଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ହୋଇଥିବା “ଆସ ବହିଟିଏ କିଣିବା” ଅଭିଯାନ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଏବଂ ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।

-0-

ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *