ଭକ୍ତି ସଙ୍ଗୀତ ସମାରୋହ “ଗୁହାରି” ଉଦ୍‌ଘାଟିତ

କଣ୍ଠଶିଳ୍ପୀଙ୍କ ଭକ୍ତି ଓ ଭାବରେ ବିଭୋର ହେଲେ ଦର୍ଶକ

ଭୁବନେଶ୍ୱର,୧୮/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ “ଗୁହାରି”। ଜୁଲାଇ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହେବ।

ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ସଙ୍ଗୀତଜ୍ଞ ଗୁରୁ ରାମହରି ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

“ବଡ଼ ଠାକୁର ଶ୍ରୀ ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ସଙ୍ଗୀତ ଓ ଜଣାଣ ମାଧ୍ୟମରେ ଭକ୍ତିର ଅର୍ଘ୍ୟ ଅର୍ପଣ କରିବା ହେଉଛି “ଗୁହାରି” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ପହଣ୍ଡି ସମୟରେ “ଗୁହାରି” କାର୍ଯ୍ୟକ୍ରମର ଉଦ୍‌ଘାଟନ ହେବା ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ। ଶ୍ରୀ ଜଗନ୍ନାଥ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ସହ ଭକ୍ତିରସପୂର୍ଣ୍ଣ ଭଜନ,ଜଣାଣ ଓ ପାରମ୍ପରିକ ସଙ୍ଗୀତକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବା ଏବଂ ଆଜିର ଯୁବପିଢ଼ିଙ୍କ ନିକଟରେ ଆମ ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ପହଞ୍ଚାଇବା ନିମନ୍ତେ ଆୟୋଜିତ ହେଉଥିବା “ଗୁହାରି” କାର୍ଯ୍ୟକ୍ରମ ସର୍ବସଫଳତା ଲାଭ କରୁ”, ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ

ପ୍ରଥମେ ଓଡ଼ିଶୀ ଗବେଷଣା କେନ୍ଦ୍ରର କଣ୍ଠଶିଳ୍ପୀମାନେ ବୃନ୍ଦ ଗାୟନରେ “ଜଗନ୍ନାଥ ସ୍ୱାମୀ ନୟନ ପଥଗାମି ଭବତୁମେ” ପରିବେଷଣ କରିଥିଲେ । ଏହାପରେ ବିଶିଷ୍ଟ ଗାୟକ ରବିନ୍ଦ୍ର କୁମାର ମହାପାତ୍ର ନିତ୍ୟାନନ୍ଦ ଦାସଙ୍କ ଦ୍ୱାରା ରଚିତ “ପତିତ ଜନକୁ ଉଦ୍ଧାରିବା ପାଇଁ”  ଓ ସଦାନନ୍ଦ ଦ୍ଵିଜଙ୍କ ରଚିତ “କାହାକୁ ମୁଁ କରିବଇଁ ସାକ୍ଷୀ” ପରିବେଷଣ କରିଥିଲେ।

କଣ୍ଠଶିଳ୍ପୀ ମାନସୀ ପାତ୍ର “ସତେ କିଏ ଯିବ” ଓ “ଚାଲ ସଖୀ ଆମ୍ଭେ ଦର୍ଶନ କରିବା”, ଜଗବନ୍ଧୁ ମୁଦୁଲି “ଜଗବନ୍ଧୁ ପରି ଜଣେ ସାମନ୍ତ” ଓ “ଚକାନୟନକୁ ପତିତ କେହି” ଅର୍ଚ୍ଚନା ପାଢୀ “ଦୀନବନ୍ଧୁ ଦଇତାରି” ଓ “ଥକାମନ ଚାଲ ଯିବା”, ଲୋପିତା ବେହେରା “ଦିନବାନ୍ଧବ ହେ” ଓ “ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ”, ଭଗବାନ ଜେନା ଗୁରୁ ଚନ୍ଦନ ଅଧିକାରୀଙ୍କ ଦ୍ୱାରା ରଚିତ “ନୀଳଚକ୍ରେ ହୋ” ଓ ଅତିବଡ଼ି ଜଗନ୍ନାଥ ଦାଶଙ୍କ ଦ୍ୱାରା ରଚିତ “ନମସ୍ତେ ପ୍ରଭୁ ଜଗନ୍ନାଥ” ଏବଂ କଣ୍ଠଶିଳ୍ପୀ ବ୍ରଜମୋହନ ଦୀନକୃଷ୍ଣ ଦାସଙ୍କ ରଚିତ “କୃପାସିନ୍ଧୁ ବଦନ କରି ଅବଲୋକନ” ଓ ବୀରକିଶୋରଙ୍କ ଦ୍ୱାରା ରଚିତ “ଭୁଜ ତଳେ ମୋତେ ରଖ” ସଙ୍ଗୀତ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀମାନଙ୍କୁ ତବଲାରେ ଗୋବିନ୍ଦ ଚନ୍ଦ୍ର ବେହେରା, ଢୋଲକରେ ପ୍ରମୋଦ କୁମାର ନନ୍ଦ, ବଂଶୀରେ ଏମ୍‌. ସିମାଦ୍ରୀ, ଅକ୍ଟୋପ୍ୟାଡ଼ରେ ଅନିରୁଦ୍ଧ ଧଳ, କିବୋର୍ଡ଼ରେ ବିଭୁପ୍ରସାଦ ତ୍ରିପାଠୀ ଏବଂ ହାରାମୋନିୟମ୍‌ରେ ବସନ୍ତ ମିଶ୍ର ସହଯୋଗ କରିଥିଲେ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଆଜିର ଭକ୍ତି ସଙ୍ଗୀତ ସନ୍ଧ୍ୟାକୁ ଦର୍ଶକମାନେ ବେଶ୍‍ ପ୍ରଶଂସା କରିଥିଲେ। ଆଜିର ଉଦ୍‌ଘାଟନୀ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

-0-

ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *