କେନ୍ଦ୍ରାପଡ଼ା, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ସକାଳେ ଶ୍ୟାମଗୁଡିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ହଠାତ ପରିଦର୍ଶନ କରିଛନ୍ତି । ସକାଳ ପ୍ରାୟ ୮ଟା ସମୟରେ ଡାକ୍ତରଖାନା ପରିସର ରେ ଜିଲାପାଳ ପହଂଚି ଆଉଟ ଡୋର, ବିଭିନ୍ନ ବିଭାଗ ଏବଂ ୱାର୍ଡରେ ବୁଲି ରୋଗୀମାନଙ୍କୁ ଭେଟି ସେମାନଙ୍କକୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନା ପରିସରରେ ଥିବା ଅଲଟ୍ରାସାଉଣ୍ଡ, ଏକ୍ସରେ, ସିଟିସ୍କାନ ଭଳି ଲେଖାଥିବା କେତେକ ରୁମରେ ତାଲା ପଡିଥିବା ଦେଖି ସେ ସମ୍ପର୍କରେ ଉପସ୍ଥିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିଥିଲେ । ଆଉଟଡୋରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଉପସ୍ଥିତ ନଥିବା ଦେଖି ବିରକ୍ତି ପ୍ରକାଶ କରିଥିଲେ ଜିଲାପାଳ । ଏଥିସହିତ ଚିକିତ୍ସାରେ ଅବହେଳା ନକରିବାକୁ ଏବଂ ରୋଗୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ରୋଗୀଙ୍କୁ ଚିକିତ୍ସା ରେ ଅବହେଳା କଲେ ତାହାକୁ ବରଦାସ୍ତ କରାଯିବନି ବୋଲି କହିଥିଲେ ଜିଲାପାଳ । ଡାକ୍ତରଖାନାର ସ୍ୱଛତା ଓ ପରିମଳ ବ୍ୟବସ୍ଥାର ଉପଯୁକ୍ତ ତଦାରଖ ପାଇଁ ନିର୍ଦେଶ ଦେଇଥିଲେ । ରୋଗୀମାନଙ୍କୁ ମିଳୁଥିବା ଖାଦ୍ୟ ସମ୍ପର୍କରେ ମଧ୍ୟ ଜିଲାପାଳ ଉଭୟ ରୋଗୀ ଓ ଡାକ୍ତରଖାନା କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଉପଯୁକ୍ତମାନର ଖାଦ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଡାକ୍ତରଖାନାରେ ଇସିଜି ଓ ଡିଜିଟାଲ ଏକ୍ସରେ ସେବା ମିଳୁନଥିବା ନେଇ ଜାଣିବା ପରେ ତୁରନ୍ତ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ସିଟିସ୍କାନ ସେବା କାହିଁକି ଉପଲବ୍ଧ ହେଉନାହିଁ ବୋଲି ଡାକ୍ତରଖାନା କର୍ତୃପକ୍ଷଙ୍କ ସହ ଆଲୋଚନା କରି ସେ ଦିଗରେ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, ଡା. ପ୍ରମୋଦ ପ୍ରହରାଜ, ଡାକ୍ତରଖାନା ପରିଚାଳକ ପ୍ରଭାତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।