କଟକ,୨୧/୦୫/୨୦୨୬ (ଓଡ଼ିଶା ସମାଚାର)- ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ରୋଗୀସେବାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ୧୦ଟି ବିଦ୍ୟୁତ୍ ଚାଳିତ ଗାଡି ଲୋକାର୍ପିତ ହୋଇଛି । ଏହି ପଦକ୍ଷେପ ଫଳରେ ହସ୍ପିଟାଲ ଭିତରେ ଗୁରୁତର ଓ ଅସୁସ୍ଥ ରୋଗୀଙ୍କୁ ଏକ ବିଭାଗରୁ ଅନ୍ୟ ବିଭାଗକୁ ସହଜ ଓ ଶୀଘ୍ର ପହଂଚାଇବାରେ ସୁବିଧା ହେବ ବୋଲି ଆଶା କରାଯାଉଛି । ହୁଡକୋର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧିନରେ ଏସସିବିକୁ ଏହି ୧୦ଟି ବ୍ୟାଟେରୀଚାଳିତ ଗାଡି ପ୍ରଦାନ କରାଯାଇଛି ।
ଏହି ଗାଡିଗୁଡିକର ମୂଲ୍ୟ ପ୍ରାୟ ୯୨ ଲକ୍ଷ ଟଙ୍କା ବୋଲି ହୁଡକୋ ପକ୍ଷରୁ କୁହାଯାଇଛି । ପରିବେଶ ଅନୁକୂଳ ଏବଂ ଧ୍ୱନି ପ୍ରଦୂଷଣ ମୁକ୍ତ ଏହି ଗାଡିଗୁଡିକ ହସ୍ପିଟାଲରେ ସବୁଜ ପରିବେଶ ସୃଷ୍ଟି ସହ ରୋଗୀ ସେବା ବଢାଇବାରେ ମଧ୍ୟ ସହାୟକ ହେବ । ରୋଗୀ ପରିବହନକୁ ଧ୍ୟାନରେ ରଖି ଏହି ଗାଡିଗୁଡିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଆମ୍ବୁଲାନ୍ସ ଭଳି ଏଥିରେ ରୋଗୀ ଶୋଇବା ପାଇଁ ଷ୍ଟ୍ରେଚର ଭଳି ବ୍ୟବସ୍ଥା, ରୋଗୀଙ୍କ ସମ୍ପର୍କୀୟ ବସିପାରିବା ଏବଂ ସାଲାଇନ୍ ଓ ଅକ୍ସିଜେନ୍ ଆଦି ରଖିପାରିବା ସୁବିଧା ଉପଲବ୍ଧ ରହିଛି । ହସ୍ପିଟାଲର ବିଶାଳ ପରିସର ମଧ୍ୟରେ ଗୁରୁତର ରୋଗୀଙ୍କୁ ଏକ ବିଭାଗରୁ ଅନ୍ୟ ବିଭାଗକୁ ନେବା ସମୟରେ ଯେଉଁ ସମସ୍ୟା ହେଉଥିଲା, ଏହି ଗାଡି ଚାଲୁ ହେବା ପରେ ଅନେକାଂଶରେ ଏହାର ସମାଧାନ ହେବ ବୋଲି ଆଶା କରାଯାଏ ।
ଉଦଘାଟନ ସମୟରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଅଧିକ୍ଷକ ପ୍ରଫେସର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ, ରେଜିଷ୍ଟ୍ରାର ସୁବାସ ଚନ୍ଦ୍ର ରାୟ, ଅର୍ଥ ଅଧିକାରୀ ମାନସ ପାତ୍ର, ହୃଦରୋଗ ବିଶେଷଜ୍ଞ ପ୍ରଫେସର ନିର୍ମଳ କୁମାର ମହାନ୍ତି, କାଜୁଆଲଟି ମେଡିକାଲ ଅଫିସର ଡଃ ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ହୁଡକୋ ପକ୍ଷରୁ ହୁଡକୋର ଆଂଚଚଳିକ ମୁଖ୍ୟ ରାମ ପ୍ରସାଦ ନାୟକ, ଏଜିଏମ, ଦୟାନିଧି ପଟ୍ଟନାୟକ, ବରିଷ୍ଠ ପରିଚାଳକ (ଅର୍ଥ) ଏସ୍. ଆନନ୍ଦରାଜ, ପରିଚାଳକ (ଅର୍ଥ) ଆର.କେ. ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
