ଭୁବନ ୨୮/୦୩/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ପବିତ୍ର ରାମ ନବମୀ ସନ୍ଧ୍ୟାରେ ଏକ ବିବତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟା କରିସାରିବା ପରେ ମୃତ ଶରୀରକୁ ପାଳନଡ଼ା ସାହାଯ୍ୟରେ ନିଆଁ ଲଗାଇ ଦେଇଥିବା ବେଳେ ଗ୍ରାମବାସୀ ଶବ ଜବତ କରି ଅଭିଯୁକ୍ତ ଆସାମୀକୁ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଥାନା ଅନ୍ତର୍ଗତ ବାରୁଆଁ ପଞ୍ଚାୟତ କୃଷ୍ଣପୁର ଗ୍ରାମର ତ୍ରିଲୋଚନ ମହାନ୍ତ (୪୨) ଓ ମିହିର ଓରଫ ମଣ୍ଟୁ ମହାନ୍ତ (୩୧) ପେସାରେ ଉଭୟେ ଡ୍ରାଇଭର ।
ମଣ୍ଟୁ ମହାନ୍ତ ଅବିବାହିତ ଓ ତ୍ରିଲୋଚନ ମହାନ୍ତ ବିବାହିତ । ଗତକାଲି ଶୁକ୍ରବାର ପବିତ୍ର ରାମ ନବମୀ ଅପରାହ୍ନ ସମୟରେ ତ୍ରିଲୋଚନ ଫୋନ୍ କରି ମଣ୍ଟୁକୁ ତାଙ୍କ ଘରକୁ ଡକାଇଥିଲା । ମଣ୍ଟୁ ପହଞ୍ଚିବାର ପ୍ରାୟ ୨ ଘଣ୍ଟା ପରେ ସନ୍ଧ୍ୟା ସମୟରେ ମଣ୍ଟୁର ମୃତ ଦେହକୁ ତ୍ରିଲୋଚନ ଘୋସାରି ଘୋସାରି ନେଇ ଘରଠାରୁ ପ୍ରାୟ ଶହେ ମିଟର ଦୁରରେ ପକାଇ ଦେବା ସହ ମଣ୍ଟୁର ମୃତଦେହ ଉପରେ ପାଳ ନଡ଼ା ପକାଇ ନିଆଁ ଲଗାଇ ପୋଡ଼ି ଦେବାକୁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ନିଆଁ ଲିଭାଇ ତ୍ରିଲୋଚନକୁ ନିସ୍ତୁକ ମାଡ ମାରି ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ ଭୁବନ ଥାନା ଆଇ ଆଇ ସି ରେଣୁବାଳା ସାହୁ ସଦଳବଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଚିକିତ୍ସା ପାଇଁ ତ୍ରିଲୋଚନ କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜି ଶନିବାର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ହତ୍ୟାର ପ୍ରକୃତ କାରଣ କୁ ନେଇ ତଦନ୍ତ ଚଳାଇଛି । ଅଭିଯୁକ୍ତ ତ୍ରିଲୋଚନ କୁ ପୋଲିସ ହେପାଜତରେ ରଖି ଚିକିତ୍ସା କରାଯାଉଥିବା ବେଳେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ତାକୁ ପଚରା ଉଚରା କରି ଫେରିଯାଇଛନ୍ତି ।
କିଛି ଦିନ ପୁର୍ବରୁ କେନ୍ଦୁଝର ଅଞ୍ଚଳରୁ କେତେକ ଗୁଣିଆ ଆସି ତ୍ରିଲୋଚନ ଘରେ ପୂଜାପାଠ କରି ତାଙ୍କ ପୁଅ କୁ ମାରିବାକୁ ପ୍ଲାନ୍ କରିଥିଲେ ବୋଲି ମୃତ ମଣ୍ଟୁ ର ବାପା ତରୁଣ ମହାନ୍ତ ଅଭିଯୋଗ କରିଛନ୍ତି। ପୋଲିସ କେଶ୍ ନଂ – ୧୬୨/୨୦୨୬ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ପୂର୍ବ ଶତ୍ରୁତା କି ଅନୈତିକ ସମ୍ପର୍କ ଅଥବା ଗୁଣି ଗାରେଡ଼ି ରୁ ଏହି ହତ୍ୟାକାଣ୍ଡ ଘଟିଲା , ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଆଇ ଆଇ ସି କହିଛନ୍ତି ।
