ଘଟଗାଁ : ମା’ତାରିଣୀ ଠାକୁରାଣୀଙ୍କ ୯୦ ତମ ଚଇତି ପର୍ବର ଦ୍ୱିତୀୟ ପ୍ରସ୍ତୁତି ବୈଠକ

ଘଟଗାଁ, ୨୬/୦୩/୨୦୨୬ (ଓଡିଶା ସମାଚାର) ଓଡ଼ିଶାର ପ୍ରସିଦ୍ଧ ଦେଵୀ ଘଟଗାଁ ମା ‘ ତାରିଣୀ ଠାକୁରାଣୀଙ୍କ ୯୦ ତମ ମହାବିଷୁବ ପଣା ସଂକ୍ରାନ୍ତି ପର୍ବ ବା ଚଇତି ପର୍ବର ଦ୍ୱିତୀୟ ପ୍ରସ୍ତୁତି ବୈଠକ ମନ୍ଦିର ପରିସର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ମୁକ୍ତିକାନ୍ତ ନାୟକ,ଅଗ୍ନିଶମ ଅଧିକାରୀ ପୂର୍ଣଚନ୍ଦ୍ର ପଣ୍ଡା,ଅବକାରୀ ଥାନା ଅଧିକାରୀ ସନ୍ତୋଷ କୁମାର ଦାଶ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପଲେଇ, ଫରେଷ୍ଟର ଅଙ୍କିତା ସିଂ,ଦେବୋତ୍ତର ଇନ୍ସପେକ୍ଟର ତ୍ରିଲୋଚନ ନାଏକ,ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା,ବିଭିନ୍ନ ସ୍ବେଛାସେବୀ,ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ଏହି ଚଇତି ପର୍ବ ଅବସରରେ ମା’ଙ୍କର ଚିରାଚରିତ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନା ସହିତ ପ୍ରତ୍ୟେହ ମା’ଙ୍କ ମାଜଣା,ମଙ୍ଗଳ ଆଳତୀ,ସୁନାବେଶ,ହୋମଯଜ୍ଞ, ଭାଗବତ ପାରାୟଣ,ବଡ଼ ସିଂହାର ବେଶ, ଦେବୀ ସ୍ତୁତି ପାଠ,ଚଣ୍ଡିପାଠ ଏବଂ ସତ୍ୟ ନାରାୟଣ ପୂଜା ଏବଂ ପରମ୍ପରା ଅନୁଯାୟୀ ସାତ ଦିନ ଧରି ବାଦୀପାଲା ଯଥାବିଧି ଅନୁଷ୍ଠିତ ହେବ। ଦିନବେଳା କାର୍ୟ୍ୟକ୍ରମରେ ଓଡିଶୀ ନୃତ୍ୟ, ଆଧ୍ୟାତ୍ମିକ ନୃତ୍ୟ, ଲୋକ ନୃତ୍ୟ,ଘୋଡା ନାଚ,ଝୁମର ନାଚ, ସମ୍ବଲପୁରୀ ନାଚ,ପାଇକ ଆଖଡ଼ା,ଭଜନ ସମାରୋହ ଏବଂ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସୂର୍ୟ୍ୟୋଦୟ ଠାରୁ ସୂର୍ୟ୍ୟାସ୍ତ ପର୍ୟ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହେବ। ସନ୍ଧ୍ୟା ଓ ରାତ୍ର କାର୍ୟ୍ୟକ୍ରମରେ ଧର୍ମ ପ୍ରବଚନ, ଦାସକାଠିଆ ଏବଂ ବାଦୀପାଲା ଅନୁଷ୍ଠିତ ହେବ ।

ଏହା ସହ ଆଇନ ଶୃଙ୍ଖଳା ପାଇଁ ପୋଲିସ ମୃତୟନ, ପିଇବା ପାଣି ବ୍ୟବସ୍ଥା, ସ୍ବେଛାସେବୀ ବ୍ୟବସ୍ଥା,ଗାଡି ପାର୍କିଂ ବ୍ୟବସ୍ଥା, ଅସ୍ଥାୟୀ ପ୍ରାଥମିକ ଚିକିତ୍ସା, ଅନ୍ନ ପ୍ରସାଦ ବିତରଣ ଆଦି ସମସ୍ତ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଚଇତି ପର୍ବ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ଆସନ୍ତା ୯ ତାରିଖ ଠାରୁ ୧୫ ତାରିଖ ପର୍ୟ୍ୟନ୍ତ ପାଳିତ ହବାକୁ ଥିବା ଏହି ଚଇତି ପର୍ବ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *