ସ୍ୱରାଜ ଆଶ୍ରମରେ ପାଳନ ହେଲା ‘ଗାନ୍ଧୀ ଦିବସ’
‘ଓଡ଼ିଶା ଥିଲା ଗାନ୍ଧିଜୀଙ୍କ ଅତିପ୍ରିୟ ରାଜ୍ୟ’
କଟକ,୨୪/୦୩/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା(ତତ୍କାଳୀନ ଉତ୍କଳ) ଥିଲା ଗାନ୍ଧିଜୀଙ୍କର ପ୍ରିୟଭୂମି । ସେଥିପାଇଁ ସେ ସବୁବେଳେ ନିଜର ସହକର୍ମୀମାନଙ୍କୁ କହୁଥିଲେ, ଓଡ଼ିଶାର ଯେକୌଣସି ପ୍ରକାରର ଉନ୍ନତିରେ ସାରା ଭାରତବର୍ଷର ଉନ୍ନତି । ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ୱାନକ୍ରମେ ଓଡ଼ିଶା ଆସିଥିଲେ ମହାମାନବ ମହାତ୍ମାଗାନ୍ଧୀ । ସେଦିନ କଟକସହର ହୋଇପଡ଼ିଥିଲା ଲୋକାରଣ୍ୟ । ବ୍ରିଟିଶ୍ ସରକାର ୧୪୪ ଧାରା ଜାରିକରିବା ସତ୍ୱ୍ୱେ କାଠଯୋଡ଼ି ବାଲିରେ ହଜାର ହଜାର ଜନତାଙ୍କୁ ଉଦବୋଧନ ଦେଇ ସୁପ୍ତ ଓଡ଼ିଆଙ୍କୁ ଜାଗ୍ରତ ହେବାର ଆହ୍ୱାନ ଦେଇଥିଲେ ଗାନ୍ଧିଜୀ । ଓଡ଼ିଶାର ଅନାହାର ତାଙ୍କୁ ଆନ୍ଦୋଳିତ କରିଥିଲା । ଚରଖାରେ ସୂତାକାଟିବାକୁ, ଜୁଆ ନ ଖେଳିବା ଏବଂ ପରସ୍ପର ମଧ୍ୟରେ କଳହ ନ କରି ମାତୃଭୂମି ପ୍ରତି କର୍ତବ୍ୟ କରିବାକୁ ସେ ସେଦିନ ଦେଇଥିଲେ ଆହ୍ୱାନ ।

ଆଜି ସେହି ଦିବସକୁ ସ୍ମରଣ କରିବାକୁ ହେବ । ‘ଗାନ୍ଧୀ ଦିବସ’ ଭାବରେ ଏହାକୁ ପାଳନ କରି ପରବର୍ତୀ ପିଢ଼ି ଭିତରେ ଗାନ୍ଧିଜୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ଉଜାଗର କରିବାକୁ ପଡ଼ିବ ବୋଲି ଐତିହାସିକ ସ୍ୱରାଜ ଆଶ୍ରମ ପରିସରରେ ଓଡ଼ିଶା ଗାନ୍ଧିବାଦୀ ଫୋରମ୍, ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ହରିଜନ ସେବକ ସଂଘ, ଭାଗୀରଥି ମହାପାତ୍ର-ସରଳାଦେବୀ ଟ୍ରଷ୍ଟ ଏବଂ ମହାତ୍ମା ବିଚାରମଂଚର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ‘ଗାନ୍ଧୀ ଦିବସ’ ସମାରୋହରେ ଯୋଗଦେଇ ବହୁ ବିଶିଷ୍ଟବ୍ୟକ୍ତି ଏବଂ ଗାନ୍ଧିବାଦୀ ମତବ୍ୟକ୍ତ କରିଛନ୍ତି ।
‘ଗାନ୍ଧିବାର୍ତା’ର ସମ୍ପାଦକ ତଥା ଗାନ୍ଧିବାଦୀ ଜ୍ଞାନରଞ୍ଜନ ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୋରମ୍ ର ଉପାଧ୍ୟକ୍ଷ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ସ୍ୱାଗତ ଭାଷଣ ରଖି ଏହି ଐତିହାସିକ ଦିବସ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ନୂଆ ଜାଗରଣ ସୃଷ୍ଟିକରିବ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ ଗାନ୍ଧୀ ଏକ ଅସରନ୍ତି ସମ୍ମୋହନ, ସେ ବିଚାରର କେବେ ମୃତୁ୍ୟନାହିଁ କହିଥିଲେ । ମୁଖ୍ୟବକ୍ତା ଭାବେ ସର୍ବସେବା ସଂଘ (ସେବାଗ୍ରାମ, ୱାର୍ଦ୍ଧା)ର ଜାତୀୟ ସାଧାରଣ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର ଓଡ଼ିଶା ସହ ଗାନ୍ଧିଜୀଙ୍କ ଆତ୍ମିକ ସମ୍ପର୍କ ଥିଲା ଏବଂ ଆଜିର ପିଢ଼ି ଗାନ୍ଧିଜୀଙ୍କ ବିଚାରକୁ ପାଥେୟକରି ନିଜକୁ ଓ ରାଷ୍ଟ୍ରକୁ ଗଢ଼ିବା ଦାୟିତ୍ୱ ନେବା ଜରୁରୀ ହୋଇପଡ଼ିଛି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭାଗବତ ସଂସ୍ଥାପନ ସମିତିର ଅଧ୍ୟକ୍ଷ ଶ୍ରୀମଦ୍ ବାୟାବାବା, ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ରାସବିହାରୀ ମଠର ମଠାଧୀଶ ବୃନ୍ଦାବନ ମହାରାଜ, ହରିଜନ ସେବକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବୋଦୟ ନେତୃତ୍ୱ ଆର୍ଯ୍ୟଭଟ୍ଟ ମହାନ୍ତି, ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଭାଗୀରଥି ମହାପାତ୍ର-ସରଳାଦେବୀ ଟ୍ରଷ୍ଟର ସଭାପତି ନିରଞ୍ଜନ ପଣ୍ଡା, ମଧୁସୁରକ୍ଷା ସଂସ୍ଥାନର ସଭାପତି ଆଇନଜୀବୀ ଶଶିଭୂଷଣ ଦାସ, ରାଜ୍ୟ କଂଗ୍ରେସର ମୁଖପାତ୍ର ଅମ୍ରିତା ଦାସ ଏବଂ ପ୍ରଫେସର ଉମାଶଙ୍କର ମିଶ୍ର ପ୍ରମୁଖ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନର ସ୍ମୃତିଚାରଣ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ‘ଗାନ୍ଧୀ କବିତା’ ପାଠୋତ୍ସବରେ କୁନିଝିଅ ହାର୍ଦ୍ଧିକା ପାଣିଗ୍ରାହୀଙ୍କ ସମେତ ବହୁସଂଖ୍ୟାରେ କବି-କବୟିତ୍ରୀ ଅଂଶଗ୍ରହଣ କରି ସ୍ୱରଚିତ କବିତା ଆବୃତି କରିବା ସହ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାରୋହରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଉତ୍କଳମଣି ଗୋପବନ୍ଧୁଙ୍କ ସହଯୋଗୀ ଭାଗୀରଥି ମହାପାତ୍ର ଏବଂ ସରଳାଦେବୀଙ୍କ ନାତି ଲକ୍ଷ୍ମୀପ୍ରକାଶ ମହାପାତ୍ର, ଗାନ୍ଧିବାଦୀ ପ୍ରଦୀପ୍ ସାହୁ, ବନଜ୍ୟୋତ୍ସ୍ନା ମହାପାତ୍ର ଏବଂ ବରିଷ୍ଠ ସର୍ବୋଦୟ ନେତା ଗୌରାଙ୍ଗ ଚନ୍ଦ୍ର ମହାପାତ୍ରଙ୍କୁ ‘ଗାନ୍ଧୀଦିବସ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ୪ଜଣ ରିକ୍ସାଚାଳକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମଞ୍ଜୁଲତା ଜେନା ।
