ଆଳି,୨୧/୦୩/୨୦୨୬ (ଓଡ଼ିଶା ସମାଚାର)- ଆଳିର ପୂର୍ବତନ ବିଧାୟକ ଓ ବିଶିଷ୍ଟ ଜନନାୟକ ତଥା କ୍ରୀଡା ସଂଗଠକ ସ୍ବର୍ଗତ ଦେବେନ୍ଦ୍ର ନାଥ ଶର୍ମାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ମୃତି ସଭାରେ ଅତିଥି ଭାବରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପିସିସି ସଭାପତି ଭକ୍ତଚରଣ ଦାସ, କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ସିପ୍ରା ମଲ୍ଲିକ, ସୋନାଲି ପଣ୍ଡା, ବିଧାୟକ ଗଣେଶ୍ୱର ବେହେରା, ପ୍ରତାପ କେଶରୀ ଦେବ, ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ,ସମାଜସେବୀ ଓ ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଦିବଂଗତ ଦେବେନ୍ଦ୍ର ଆଳି ନିର୍ବାଚନ ମଣ୍ଡଳୀର ବିକାଶ ଓ ଜନହିତକର କାର୍ଯ୍ୟରେ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ।
ଏହି ଅବସରରେ ସ୍ବର୍ଗତ ଶର୍ମାଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା।ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ପ୍ରମୋଦ ମଲ୍ଲିକଙ୍କ ସମ୍ପାଦିତ ସ୍ବର୍ଗତ ଶର୍ମାଙ୍କ ଜୀବନ ଚରିତ ଆଧାରିତ ସ୍ମରଣିକା “ଦେବଦୃମ”କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଲୋକାର୍ପଣ କରିଥିଲେ। ଏହି ଅବସରରେ ଆଳିର ରାଣୀ ପୋଖରୀଠାରୁ ନିଆଳ ପର୍ଯ୍ୟନ୍ତ ଏକ ମାରାଥନ ଦୌଡ଼ ହୋଇଥିଲା lସ୍ବର୍ଗତ ଶର୍ମାଙ୍କ କନ୍ୟା ଦେବସ୍ମିତା ପିତାଙ୍କ ପଥ ଅନୁସରଣ କରି ଲୋକସେବା କରିବେ ବୋଲି କହିଥିଲେ।ଅପରାହ୍ନ ରେ ସ୍ବର୍ଗତ ଦେବେନ୍ଦ୍ର ଶର୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହିଳା ଓ ପୁରୁଷ ଦଳର ଏକ ଫୁଟବଲ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।
