ରନ୍ଧନ ଗ୍ୟାସ କଳାବଜାରୀ ଅଭିଯୋଗ

ଯୋଗାଣ ବିଭାଗର ଚଢ଼ାଉ, ରନ୍ଧନ ଗ୍ୟାସ ଯୋଗାଣରେ ଅନିୟମିତତା ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ
ଗରଦପୁର, ୧୩/୦୩/୨୦୨୬ (ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ରନ୍ଧନ ଗ୍ୟାସ ସିଲିଣ୍ଡର ଅଭାବ ଓ କଳାବଜାରୀ ଅଭିଯୋଗକୁ ନେଇ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ନହେବା ସହିତ କେତେକ ସ୍ଥାନରେ ସିଲିଣ୍ଡର ପିଛା ପ୍ରାୟ ୧୫୦୦ ଟଙ୍କା ନେଇ ବିକ୍ରି କରାଯାଉଥିବା ଖବର ମିଳିଥିଲା ଏହି ଅଭିଯୋଗକୁ ଗୁରୁତ୍ୱ ସହକାରେ ନେଇ ଜିଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦେଶରେ ଗରଦପୁର ବ୍ଲକ ଅନ୍ତର୍ଗତ ଢିଅସାହି ଓ ମାହାଳ ଅଂଚଳର ଇଣ୍ଡେନ ଗ୍ୟାସ ଡିପୋ ଗୁଡ଼ିକରେ ଅଚାନକ ଚଢ଼ାଉ କରାଯାଇଥିଲା । ଗରଦପୁର ଯୋଗାଣ ଅଧିକାରୀ ସୁଚିସ୍ମିତା ମହାନ୍ତିଙ୍କ ନେତୃତ୍ୱରେ ତାଙ୍କ ଷ୍ଟାଫମାନେ ଏହି ଯାଂଚ କାର୍ଯ୍ୟକୁ ସଂପାଦନ କରିଥିଲେ ।
ଚଢ଼ାଉ ସମୟରେ ଡିପୋରେ ନିର୍ଦିଷ୍ଟ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁତ ରହିଛି କି ନାହିଁ, ବୁକିଂ କରିଥିବା ଗ୍ରାହକଙ୍କୁ ସମୟମତେ ସିଲିଣ୍ଡର ପହଂଚାଯାଉଛି କି ନାହିଁ ଓ ବିକ୍ରୟ ପ୍ରକ୍ରିୟାରେ କୌଣସି ଅନିୟମିତତା ହେଉଛି କି ନାହିଁ—ଏହି ସବୁ ଦିଗରେ ସୂକ୍ଷ୍ମ ଯାଂଚ କରାଯାଇଥିଲା । ସେଥିପାଇଁ ଏଜେନ୍ସୀମାନେ କଳାବଜାରୀ କାରବାରରେ ଜଡିତ ଅଛନ୍ତି କି ନାହିଁ ସେଥିରେ ମଧ୍ୟ ଯାଂଚ କରାଯାଇଥିବା ସୂଚନା ମିଳିଛି ।
ଯୋଗାଣ ଅଧିକାରୀ ସୁଚିସ୍ମିତା ମହାନ୍ତି କହିଛନ୍ତି ଯେ, ଯଦି ଗ୍ୟାସ ବିକ୍ରୟରେ କୌଣସି ପ୍ରକାର ଅନିୟମିତତା କିମ୍ବା କଳାବଜାରୀ ଧରାପଡେ, ତେବେ ସଂପୃକ୍ତ ଡିଲର ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଆହୁରି କହିଛନ୍ତି ଯେ, ଯଦି କୌଣସି ଡିଲର ଗ୍ରାହକଙ୍କ ପାଖରୁ ନିର୍ଦ୍ଧାରିତ ଦାମରୁ ଅଧିକ ଟଙ୍କା ଦାବି କରେ, ତେବେ ଗ୍ରାହକମାନେ ତୁରନ୍ତ ଯୋଗାଣ ବିଭାଗକୁ ଅଭିଯୋଗ କରିପାରିବେ ଓ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସଂପ୍ରତି ପାଟକୁରା ଅଂଚଳରେ ଗ୍ୟାସ ସିଲିଣ୍ଡର ଅଭାବ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଯୋଗାଣ ବିଭାଗର ଏହି ଚଢ଼ାଉ କୁ ଲୋକେ ପ୍ରସଂଶା କରିଛନ୍ତି ।

Leave a Reply

Your email address will not be published. Required fields are marked *