କାଲି ସକାଳେ ଶ୍ରୀ ମନ୍ଦିରର ୪ ଦ୍ୱାର ଖୋଲିବ

ଭୁବନେଶ୍ୱର, ୧୨/୬/୨୦୨୪ (ଓଡ଼ିଶା ସମାଚାର)- ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । ଆସନ୍ତା କାଲି ୧୩ ତାରିଖ ଗୁରୁବାର ସକାଳେ ମଙ୍ଗଳ ଆଳତି ସମୟରେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ ।ମୁଖ୍ୟମନ୍ତ୍ରୀ ଙ୍କ ସମେତ ସମସ୍ତ ମନ୍ତ୍ରୀ ଆଜି ରାତିରେ ପୁରୀରେ ରହିବେ । ଆସନ୍ତା କାଲି ସକାଳେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବେ । ସମସ୍ତ ମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ ।
ପ୍ରଥମ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଥିରେ ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ। ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ। ଯାହାଦ୍ୱାରା ଧାନ ଏମ୍ଏସ୍ପି ୩୧ ଶହ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ। ସେହିପରି ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି କ୍ୟାବିନେଟ ବୈଠକରେ ନିଆଯାଇଛି।
ପ୍ରଥମ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେ କହିଛନ୍ତି, ମହାପ୍ରଭୁଙ୍କ ୪ଟି ଦ୍ବାରକୁ ଗତ କିଛି ବର୍ଷ ହେଲା ବନ୍ଦ କରିଦିଆଯାଇଥିଲା। ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି ସଂକଳ୍ପ ପତ୍ରରେ ଶ୍ରୀମନ୍ଦିରର ୪ଟି ଦ୍ବାର ଖୋଲି ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ସାଢ଼େ ୪ କୋଟି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ଆସନ୍ତାକାଲି (୧୩) ମଙ୍ଗଳ ଆରତୀ ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତିରେ ୪ଟି ଦ୍ବାର ଖୋଲି ଦିଆଯିବ। ତିନି ଦ୍ବାର ବନ୍ଦ ରହିବା ଦ୍ବାରା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବ୍ୟବଧାନ କରାଯାଉଥିଲା। ଶ୍ରୀମନ୍ଦିରର ସଂରକ୍ଷଣ, ରକ୍ଷଣାବେକ୍ଷଣ, ବିକାଶ, ତୀର୍ଥଯାତ୍ରୀଙ୍କ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। କର୍ପସ ପାଣ୍ଠିରେ ୫୦୦ କୋଟି ଟଙ୍କା ରଖାଯିବ।
ଶ୍ରୀ ମାଝୀ କହିଛନ୍ତି ତୃତୀୟ ପ୍ରସ୍ତାବ ଆଧାରରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରାଯିବ। ଚାଷୀମାନଙ୍କୁ କିଭଳି ସହାୟତା ଦିଆଯିବ, ସେନେଇ ସରକାର ପ୍ରସ୍ତାବ ଅଛନ୍ତି। ସରକାର ସମୃଦ୍ଧ କୃଷକ ନୀତି ଆଣିବାକୁ ଯାଉଛନ୍ତି। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ। ନେଇ ପ୍ରଶାସନକୁ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିଭାଗ ଉପରେ ମଧ୍ୟ ଆଲୋଚନା ହୋଇଛି। ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ କ୍ୟାବିନେଟରେ ଆଲୋଚନା ହୋଇଛି। ସୁଭଦ୍ରା ଯୋଜନାକୁ ଆଗାମୀ ୧୦୦ ଦିନ ଭିତରେ କାର୍ୟ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ। ୫୦ ହଜାର ଟଙ୍କାର ଭାଉଚର କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସଂପୃକ୍ତ ବିଭାଗକୁ କାର୍ୟ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

Leave a Reply

Your email address will not be published. Required fields are marked *