ବଜେଟ୍ ୨୦୨୬-୨୭ କୁ ନେଇ ଯାଜପୁରରେ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ଯାଜପୁର, ୦୮/୦୩/୨୦୨୬ (ଓଡ଼ିଶା ସମାଚାର)- ଚଳିତ ବର୍ଷର ରାଜ୍ୟ ବଜେଟ୍ ୨୦୨୬-୨୭ ସମ୍ପର୍କରେ ମାନ୍ୟବର ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯାଜପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଏବଂ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ବଜେଟ୍ ୨୦୨୬-୨୭ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜାତୀୟ ହାର ତୁଳନାରେ ଓଡ଼ିଶାର ସ୍ଥିତି ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ପ୍ରକୃତ ଜିଏସଡିପି ଅଭିବୃଦ୍ଧି ହାର ୭.୯% ରହିଛି, ଯାହା ୨୦୨୪-୨୫ ର ୭.୨% ତୁଳନାରେ ଅଧିକ ଏବଂ ଏହା ଜାତୀୟ ହାର ୭.୪% ଠାରୁ ମଧ୍ୟ ଅଧିକ। ରାଜ୍ୟର ମୁଣ୍ଡପିଛା ଆୟ ୯.୨% ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୮୬ ହଜାର ଟଙ୍କାରେ ପହଞ୍ଚିଛି। ଓଡ଼ିଶାର ଅର୍ଥନୀତିରେ କୃଷି କ୍ଷେତ୍ରର ଅବଦାନ ୧୯.୬% ରହିଛି, ଯାହା ଜାତୀୟ ହାର ୧୬.୮% ଠାରୁ ଅଧିକ। ୨୦୨୫ ରେ ୫ ଲକ୍ଷ ୬୬ ହଜାର କୋଟିର ୨୪୪ ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ଯାହା ଦ୍ଵାରା ୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସର୍ବଭାରତୀୟ ଅର୍ଥନୈତିକ ସର୍ଭେ ୨୦୨୫-୨୬ ଓଡ଼ିଶାକୁ ଏକ “ମଡେଲ ଷ୍ଟେଟ୍” ଭାବେ ପ୍ରଶଂସା କରିଛି।

ସେମିକଣ୍ଡକ୍ଟର ନିବେଶ, ଦକ୍ଷତା ବିକାଶ, ଜୀବିକା ଏବଂ ଜଳବାୟୁ ସହିଷ୍ଣୁ ଭିତ୍ତିଭୂମି ଗଠନ ଯୋଗୁଁ ସମୃଦ୍ଧ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ ଦିଗରେ ସରକାର ଆଗକୁ ବଢ଼ୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ବ୍ୟବସାୟୀଙ୍କ ପାଇଁ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫, ଗୋ ସ୍ୱିଫ୍ଟ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଶୀଘ୍ର ପ୍ରକଳ୍ପ ମଞ୍ଜୁରୀ, ଜମି ପ୍ରଶାସନ, କ୍ଷେତ୍ରୀୟ ଲାଇସେନ୍ସ ପ୍ରଦାନରେ ସଂସ୍କାର, ଇଜି ଅଫ୍ ଡୁଇଙ୍ଗ ବିଜିନେସରେ ଉତ୍ତମ ପ୍ରଦର୍ଶନ ଭଳି ପଦକ୍ଷେପ ନିଆଯାଉଛି।

 ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଚଳିତ ବଜେଟର କିଛି ଉଲ୍ଲେଖନୀୟ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ବିବରଣୀ ଦେଇଥିଲେ। ଆଦର୍ଶ ମଣ୍ଡି, ଭିବି ଜି ରାମଜୀ, ଜନଜାତି ଜୀବିକା ମିଶନ, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା, ବିରଳ ମୃତ୍ତିକା କରିଡର୍, ପୁରୀରେ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଓ ବ୍ୟାଖ୍ୟାନ କେନ୍ଦ୍ର, ଓଡ଼ିଶା ଏଆଇ ମିଶନ, ଡାଲଖାଇ ଯୋଜନା, ପିଏମ୍ ପୋଷଣ, ସୁଭଦ୍ରା ଶକ୍ତି ସମ୍ବାଦ, ଫିଟ୍ ଇଣ୍ଡିଆ ମିଶନ, ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ଆଧୁନିକ ଶସ୍ୟ ଗୋଦାମ ନିର୍ମାଣ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା, ଆଡ଼ିବନ୍ଧ ତିଆରି ଯୋଜନା, ସେତୁ ବନ୍ଧ ଯୋଜନା ଭଳି କିଛି ନୂତନ ଯୋଜନା ସମ୍ପର୍କରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଶିକ୍ଷାର ଉନ୍ନତି ପାଇଁ ଐତିହ୍ୟ ବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ପିଏମ ଶ୍ରୀ ସ୍କୁଲ, ପଞ୍ଚସଖା ଶିକ୍ଷା ସେତୁ, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ଅର୍ଥ ଖର୍ଚ୍ଚ ହେବ। ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିର୍ମଳ, ନିରାମୟ ଓ ନିଦାନ ଯୋଜନା, ଅଟଳ ରକ୍ତ ଦାନ ଅଭିଯାନ, ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ମଧ୍ୟ ବଜେଟରେ ବ୍ୟବସ୍ଥା ରହିଛି। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ବୃଦ୍ଧାଶ୍ରମ, ମଧୁବାବୁ ପେନସନ୍ ଯୋଜନା ମାଧ୍ୟମରେ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ପ୍ରେସ ମିଟରେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଯାଜପୁର ଜିଲ୍ଲାର ବିକାଶ ଓ ରାଜ୍ୟ ବଜେଟକୁ ନେଇ ମନ୍ତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *