ନିମାପଡ଼ା, ୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ା ବଳଙ୍ଗା ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ବଳଭଦ୍ର କନଷ୍ଟ୍ରକ୍ସନ ନାମକ ଠିକାସଂସ୍ଥା ଦ୍ୱାରା କରାଯାଉଥିବା ବେଳେ ଏହି କାମରେ ବ୍ୟାପକ ଆର୍ଥିକ ଅନିୟମିତତା ଏବଂ ନିମ୍ନମାନର କାମ ହେଉଥିବାର ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ ହୋଇଆସୁଛି। ବିଭାଗୀୟ ମନ୍ତ୍ରୀ, ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ଛତ୍ରଛାୟା ତଳେ ରହି ଠିକାସଂସ୍ଥା ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ତା’ ମନଇଚ୍ଛା କାମ କରୁଛି। ସରକାରୀ ନିୟମ ତଥା ଟେଣ୍ଡର ପ୍ରକ୍ରିୟା ମାନଦଣ୍ଡ ଅନୁଯାୟୀ ରାସ୍ତାକାମ କଂକ୍ରିଟ ସେନ୍ସର ଫେଭରରେ ହେବାକଥା ତାହା କରାଯାଇନି।
ଏଥିସହିତ ଡ଼ିଏଲସି ୧୦୦ ଏମଏମ ଏବଂ କଂକ୍ରିଟ ୨୩୦ ଏମଏମ ଜାଗାରେ ଠିକାସଂସ୍ଥା ନିଜ ହିସାବରେ କେଉଁଠି କଂକ୍ରିଟ ୧୭୦ଏମଏମ, ଆଉକେଉଁଠି ୧୮୦ ଏମଏମରେ କାମ କରୁଛି। କେଉଁଠି ବାମପଟକୁ ଢଳି ଗଲାଣି ତ ଆଉ କେଉଁଠି ଡାହାଣକୁ ଢଳିଯାଇଛି। ଠିକାସଂସ୍ଥାର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରି ନିମାପଡ଼ା ଠିକାଦାର ସଂଘର ସଭାପତି ବିଶ୍ୱଜିତ କାନୁନଗୋଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସଂପାଦକ ତୃପ୍ତିରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରଶାନ୍ତ ପରିଡ଼ା ଏବଂ ସଂଘର ସମସ୍ତ ସଦସ୍ୟଙ୍କ ସମେତ ରାଜ୍ୟ ଠିକାଦାର ସଂଘ ସଂପାଦକ ଦିଲ୍ଲୀପ କୁମାର ଜେନା, କୋର କମିଟି ସଂଯୋଜକ ସୁବାସ ମହାନ୍ତି ପ୍ରମୁଖ ଯୋଗଦେଇ ବଳଙ୍ଗା ନିମାପଡ଼ା ରାସ୍ତାର ନୁହାରକିରି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଉପରିସ୍ଥ ଅଧିକାରୀ, ରାଜ୍ୟ ଭିଜିଲାନ୍ସ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଥିଲେ।
