୭୦ ହଜାର ଇଟା ଉପରେ ବୁଲିଲା ବୁଲଡୋଜର

ସତ୍ୟବାଦୀ,୦୨/୦୩/୨୦୨୬ (ଓଡ଼ିଶା ସମାଚାର)- ସତ୍ୟବାଦୀ ତହସିଲ ଅଧୀନ ବିଶ୍ୱନାଥପୁର ଗ୍ରାମ ପଂଚାୟତର ୨ଟି ଗାଁରେ ଚାଲୁଥିବା ଅବୈଧ ଇଟା ଭାଟି ବିରୁଦ୍ଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏହି ଭାଟି ଗୁଡିକୁ ବୁଲଡୋଜର ସହାୟତାରେ ଉଛେଦ କରିଦିଆଯାଇଛି। ପାଖାପାଖି ୭୦ ହଜାର ଇଟା ନଷ୍ଟ କରାଯାଇଥିବା ସୂଚନା ମିଳିଛି।

ପୁରୀ ସବ୍-ଡିଭିଜନାଲ୍ ମ୍ୟାଜିଷ୍ଟ୍ରେଟଙ୍କ ଦ୍ୱାରା ଧାରା ୧୫୨ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ଜାରି ଆଦେଶ କ୍ରମେ ବିଶ୍ୱନାଥପୁର ପଂଚାୟତର ବାସୁଦେଇପୁର ଗ୍ରାମର ସତ୍ୟଜିତ ମିଶ୍ର ଏବଂ ପାଣିଭଣ୍ଡାର ଗ୍ରାମରୁ ଭିକାରୀ ପରିଡ଼ାଙ୍କ ବେଆଇନ ଇଟାଭାଟି ଗୁଡିକୁ ଭାଙ୍ଗି ଦିଆଯାଇଛି। ଭାଟିଗୁଡିକ ଦୀର୍ଘ ଦିନ ଧରି ବିନା ଅନୁମତିରେ ଚାଲୁଥିଲା। ଯାହାଫଳରେ ପରିବେଶ ପ୍ରଦୂଷଣ, ହେବା ସହ ସାଧାରଣ ଲୋକଙ୍କ ପାଇଁ ନାନା ଅସୁବିଧା ସୃଷ୍ଟି କରୁଥିଲା। ଭାଟିରୁ ନିର୍ଗତ ଧୂଆଁ ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଥିଲା।

ଏଭଳି ବେଆଇନ କାରବାର ରୋକିବା ଏବଂ ପରିବେଶ ସୁରକ୍ଷା ସହ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଚଢାଉରେ ଆଇନ-ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ମହିଳା ପୋଲିସଙ୍କ ସମେତ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରାଯାଇଥିଲା। ଅଗ୍ନିଶମ ବିଭାଗ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲା। ଏହାଛଡା ପୁରୀ ମାଇନିଙ୍ଗ ଅଫିସର ମଧ୍ୟ ଏହି ଉଛେଦ ବେଳେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *