ଭଦ୍ରକ, ୧୫/୦୨/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ରେ ଭଦ୍ରାୟଣୀ ୨୦୨୫ ଉଦଘାଟିତ ହୋଇଯାଇଛି । ଭଦ୍ରକ ଜିଲା ମହୋତ୍ସବ ଓ ପଲିଶ୍ରୀ ମେଳା ‘ଭଦ୍ରାୟଣୀ’ ଉଦ୍ଘାଟନ ଅବସରରେ ମୁଖ୍ୟଅତିଥ୍ୟ ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଭଦ୍ରକ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରର ସମାହାର ବୋଲି କହିଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟକବି ବାନ୍ଛାନିଧ୍ୱ ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ଡ. ହରେକୃଷ୍ଣ ମହତାବ ଏହି ପୁଣ୍ୟଭୂମିରେ ଜନ୍ମ ନେଇଥିବାରୁ ଏହି ମାଟି ମହାନ୍ ବୋଲି ମୁଖ୍ୟଅତିଥି ଆଇନ ମନ୍ତ୍ରୀ କହିଥିଲେ ।
ଏବଂ ଉଦଘାଟକ ଭାବେ ପଂଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଥିଲେ, ଭଦ୍ରକ ହେଉଛି ଅନେକ ମହାପୁରୁଷଙ୍କ ଏନ୍ତୁଡ଼ିଶାଳ । ସ୍ୱାଧୀନତା ଆନ୍ଦୋଳନ ଓ ଓଡ଼ିଶା ରାଜନୀତିରେ ଭଦ୍ରକ ଜିଲାର ଅବଦାନ ଅତୁଳନୀୟ ।
ନିକଟରେ ମୁଖ୍ୟମନ୍ତ୍ରୀ ଭଦ୍ରକରେ ମେଡିକାଲ କଲେଜ ଘୋଷଣା କରିବେ ବୋଲି ସେ କହିଥିଲେ । ଅନ୍ୟତମ ଅତିଥ୍ ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ସମାଜ ପାଇଁ କିଛି କରିବାକୁ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ । ଜିଲାପାଳ ଦିଲୀପ ରାଉତରାଏ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ମଂଚରେ ଉପସ୍ଥିତ ଥିଲେ ।
ଏସ୍ ପି ମଡ଼କର ସନ୍ଦୀପ ସମ୍ପଦ,ଅତିରିକ୍ତ ଏସ୍ ପି ଅରୂପ ଅଭିଷେକ ବେହେରା, ଅଂଶୁମାନ ଦ୍ୱିବେଦୀ ଓ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ ପ୍ରମୁଖ ଯୋଗ ଦେଇଥିଲେ । କଳାକାର ପୁିନ୍ଦର ଓ ଶୋଭନା ମଂଚ ସଂଚାଳନ କରିଥିଲେ । ଅତିଥିମାନେ ପଲ୍ଲିଶ୍ରୀ ମେଳାରେ ପଡିଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ । ଓଡ଼ିଶାର ବିଭିନ୍ନ କଳାକାରମାନ ମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।