ବିକାଶ ମନ୍ଥନ ସମ୍ମିଳନୀ ୧. ୦

ପ୍ରଥମ ଦିନର ଶେଷ ଅଧିବେଶନ

“ସମୃଦ୍ଧ ଓଡ଼ିଶା”: ରାଜ୍ୟର ଉଚ୍ଚ ଅଭିବୃଦ୍ଧି ପାଇଁ ବହୁମୁଖୀ ରୋଡମ୍ୟାପ୍ ପ୍ରସ୍ତୁତ

ଭୁବନେଶ୍ୱର,୨୭/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ‘ବିକାଶ ମନ୍ଥନ ୧.୦ – ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ’ ପରାମର୍ଶ ସମ୍ମିଳନୀ ର ପ୍ରଥମ ଦିନର ଚତୁର୍ଥ ତଥା ଶେଷ ଅଧିବେଶନର ଆଲୋଚନା “ସମୃଦ୍ଧ ଓଡ଼ିଶା” ପ୍ରସଙ୍ଗ ଉପରେ ପଯ୍ୟବସିତ ଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ  ଶିଳ୍ପ ସମ୍ପ୍ରସାରଣ, ସେବା କ୍ଷେତ୍ରର ରୂପାନ୍ତରଣ, ସହରୀ ସଂସ୍କାର, ପରିବହନ କ୍ଷେତ୍ରରେ ଅନୁଷଙ୍ଗିକ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ମାଧ୍ୟମରେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ଆଲୋଚନା କରିଥିଲେ। ଏହି ଅଧିବେଶନ ଓଡ଼ିଶାର ଉଦୀୟମାନ ଅର୍ଥନୈତିକ ପ୍ରଗତି ପ୍ରତି ଏକ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବା ସହ ନିର୍ଦ୍ଧାରିତ ସମୟସୀମା ଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲା ।

ଏଥିରେ ଯୋଗ ଦେଇ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ, ଓଡ଼ିଶାର ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଅବଦାନ ପ୍ରାୟ ୪୨ ପ୍ରତିଶତ ରହିଛି ଏବଂ ଏହାର ଆହୁରି ସମ୍ପ୍ରସାରଣ ପାଇଁ ପ୍ରର୍ଯ୍ୟାପ୍ତ ସୁଯୋଗ ରହିଛି। ବିନିର୍ମାଣ ବା ମନ୍ୟୁଫ୍ୟାକଚରିଙ୍ଗ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିର ବହୁଳ ସମ୍ଭାବନା ଥିବା ଦର୍ଶାଇ ସେ କେବଳ ଖଣି-ଭିତ୍ତିକ ଅର୍ଥନୀତି ପରିବର୍ତ୍ତେ ଧାତବ ଶିଳ୍ପ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ( ଭାଲ୍ୟୁ    ଆଡିସନ ) କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶାର ସାମୁଦ୍ରିକ ଉପକୂଳର ସୁବିଧାକୁ ନେଇ ସେ ପେଟ୍ରୋକେମିକାଲ୍ ଏବଂ କୋଷ୍ଟାଲ୍ କେମିକାଲ୍ ଇକୋସିଷ୍ଟମ୍ ଗଠନ ସହ ଖାଦ୍ୟ ପ୍ରକ୍ରିୟାକରଣ ଓ ବୟନ ଶିଳ୍ପକୁ ଉଦୀୟମାନ କ୍ଷେତ୍ର ଭାବେ ଚିହ୍ନଟ କରିଛନ୍ତି। ଏଥିସହ ଗ୍ରୀନ୍ ଏନର୍ଜି ଉପକରଣ ଏବଂ ସେମିକଣ୍ଡକ୍ଟର ଭଳି ଅତ୍ୟାଧୁନିକ କ୍ଷେତ୍ର ଓଡ଼ିଶାର ଶିଳ୍ପ ପରିସୀମାକୁ ଆଗାମୀ ବର୍ଷମାନଙ୍କରେ ଆହୁରି ବ୍ୟାପକ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ,  ରାଜ୍ୟର ସୁଦୃଢ଼ ଆର୍ଥିକ ସ୍ଥିତି ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଓଡ଼ିଶାର ରାଜସ୍ୱ ବଳକା ଏବଂ ନିୟନ୍ତ୍ରିତ ଋଣ-ଜିଏସଡିପି ଅନୁପାତ ଭବିଷ୍ୟତର ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି।  ଓଡ଼ିଶାରେ ପ୍ରାୟ ୩୫୦ଟି ଆଇଟି କମ୍ପାନୀ କାର୍ଯ୍ୟ କରୁଥିବାବେଳେ, ନୂତନ ଆଇଟି, ସେମିକଣ୍ଡକ୍ଟର ଏବଂ ଦେଶର ପ୍ରଥମ ସ୍ୱତନ୍ତ୍ର ଏଆଇ (କୃତ୍ତିମ ବୁଦ୍ଧିମତ୍ତା ) ନୀତି ମାଧ୍ୟମରେ ରାଜ୍ୟରେ ୧୦୦ରୁ ଅଧିକ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର  ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଆଇକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷାର ଡାଟାସେଟ୍ ପ୍ରସ୍ତୁତି ଚାଲିଛି। ସେ ଏହି ଭିଜନକୁ “ଖଣି-ଭିତ୍ତିକ ଅର୍ଥନୀତିରୁ ମସ୍ତିଷ୍କ-ଭିତ୍ତିକ ଅର୍ଥନୀତି” ର ରୂପାନ୍ତରଣ ଭାବେ  ଅଭିହିତ କରିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଭବିଷ୍ୟତର ନଗରୀକରଣ ପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ନଗରୀକରଣର ସ୍ତର ପ୍ରାୟ ୧୭ ପ୍ରତିଶତ ରହିଥିବାରୁ, ଏହାକୁ ବୃଦ୍ଧି କରିବା ପାଇଁ ଏକ ଅର୍ଥନୈତିକ-ଅଞ୍ଚଳ ଭିତ୍ତିକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଏଥିପାଇଁ ଆଗାମୀ ‘ଲିଭେବୁଲ୍ ସିଟି ମିଶନ’  ଏବଂ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳର ବିକାଶ ଉପରେ ଧ୍ୟାନ ଦିଆଯାଉଛି। ଏହି ପ୍ରସ୍ତାବିତ ଅର୍ଥନୈତିକ ଅଞ୍ଚଳରୁ ରାଜ୍ୟ ଜିଡିପିର ପ୍ରାୟ ଏକ-ତୃତୀୟାଂଶ ଅଂଶ ଆସିବ ବୋଲି ଆଶା କରାଯାଉଛି।

ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ସଡ଼କ ଭିତ୍ତିଭୂମିକୁ ସମୃଦ୍ଧ ଓଡ଼ିଶାର ମୂଳଦୁଆ ଭାବେ ବର୍ଣ୍ଣନା କରିଥିଲେ । ସେ କହିଛନ୍ତି ଯେ ୬୦୦ କିଲୋମିଟର ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ଶିଳ୍ପଗୁଡ଼ିକ ସଡ଼କ ପଥକୁ ପ୍ରାଥମିକତା ଦେଇଥାନ୍ତି। ଓଡ଼ିଶାର ସଡ଼କ ସାନ୍ଦ୍ରତାକୁ ଜାତୀୟ ହାରଠାରୁ ଅଧିକ କରିବା ଏବଂ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ପାଇଁ ନୂତନ ଅର୍ଥନୈତିକ କରିଡର ଏବଂ ରାସ୍ତାର ପ୍ରଶସ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ.ଏନ.  ଗ୍ରାମୀଣ ରୂପାନ୍ତରଣ ପାଇଁ ଏକ ବ୍ୟାପକ ରୂପରେଖ ଉପସ୍ଥାପନ କରିଛନ୍ତି। ଏଥିରେ ଅଣ-କୃଷି ନିଯୁକ୍ତି, ଆଦର୍ଶ ଗ୍ରାମ ବିକାଶ ଏବଂ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଅଧୀନରେ ବାକି ଥିବା ୨,୬୦୧ଟି ଗ୍ରାମକୁ ୬,୫୦୫ କିଲୋମିଟର ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ୭,୮୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ସମସ୍ତ ୩୧୪ଟି ବ୍ଲକରେ ‘ମାଇକ୍ରୋ-ସ୍କିଲିଂ ହବ୍’ ପ୍ରତିଷ୍ଠା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ କ୍ଷୁଦ୍ର ଶିଳ୍ପରେ (ଏସଏମଇ ) ପରିଣତ କରିବା ପାଇଁ ଯୋଜନା ରହିଛି।.

ପ୍ରଫେସର କ୍ଷୀତି ଭୂଷଣ ଦାସ ଏବଂ ଶ୍ରୀ ରାଜୀବ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଏହି ଅଧିବେଶନରେ ସମନ୍ୱିତ ବିକାଶ ରଣନୀତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ସମୃଦ୍ଧ ଓଡ଼ିଶା’ର ଏହି ଆଲୋଚନାଚକ୍ର ସ୍ପଷ୍ଟ କରିଛି ଯେ ସୁଦୃଢ଼ ଆର୍ଥିକ ଭିତ୍ତିଭୂମି ଏବଂ ବିଭିନ୍ନ କ୍ଷେତ୍ରର ବିକାଶ ମାଧ୍ୟମରେ ଓଡ଼ିଶା ‘ବିକଶିତ ଓଡ଼ିଶା ୨୦୩୬’ ର ଲକ୍ଷ୍ୟ ପୂରଣ ଦିଗରେ ଦୃଢ଼ ପଦକ୍ଷେପ ନେଉଛି।

-0-

ପଠାଣି ରାଉତ ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *