ସୂର୍ଯ୍ୟ ନର୍ସିଂହୋମର ଅଲଟ୍ରାସାଉଣ୍ଡ କେନ୍ଦ୍ର ସିଲ

କେନ୍ଦ୍ରାପଡ଼ା, ୧୮/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକ ଉପରେ ଜିଲା ପ୍ରଶାସନ, ମେଡିକାଲ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଟିମ ପକ୍ଷରୁ ଚଢାଉ କରାଯାଇଛି । ସେହିସବୁ ଅଲଟ୍ରାସାଉଣ୍ଡ କ୍ଲିନିକର କାଗଜପତ୍ର ଯାଂଚ କରାଯିବା ସହ ବିଭିନ୍ନ ଅନିୟମିତତାର ମଧ୍ୟ ଯାଂଚ କରାଯାଇଥିଲା । ଏହି ଚଢାଉ ପରେ ଖଡିଅଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପଛରେ ଥିବା ସୂର୍ଯ୍ୟ ନର୍ସିଂହୋମର ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଲ କରିଦିଆଯାଇଛି ।

ସେଠାରେ ଟିମ ପକ୍ଷରୁ ଦୀର୍ଘ ୫ଘଂଟା ଧରି ସମସ୍ତ କାଗଜପତ୍ର ଯାଂଚ କରାଯିବା ପରେ ପି.ସି. ଆଣ୍ଡ ପି.ଏନ.ଡି.ଟି. ଆକ୍ଟର ଉଲଂଘନ କରାଯାଇଥିବାରୁ ମେଡିକାଲ ଟିମ ପକ୍ଷରୁ ସୂର୍ଯ୍ୟ ନର୍ସିଂହୋମର ଅଲଟ୍ରାସାଉଣ୍ଡ କେନ୍ଦ୍ରକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଲ କରି ଦିଆଯାଇଥିବା ଉପଜିଲାପାଳ ଅରୁଣ କୁମାର ନାୟକ କହିଛନ୍ତି । ଏହି ଟିମରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ ଡା. ଅଭିଜିତ କୁଅଁର ଓ କନସଲଟାନ୍ଟ ମନୋରଞ୍ଜନଙ୍କ ସମେତ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *