ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର’ ଉଦଘାଟିତ

ନିଜର ପସନ୍ଦ ଓ ଶିକ୍ଷା ଅନୁସାରେ ଯୁବପିଢ଼ିଙ୍କୁ ମିଳିବ ସଠିକ୍ କ୍ୟାରିୟର ପରାମର୍ଶ – ଧର୍ମେନ୍ଦ୍ର ପ୍ରଧାନ

  • ପ୍ରାୟ ୪୦ ଜଣ ଯୁବବର୍ଗଙ୍କୁ ଦକ୍ଷତା ପ୍ରଶିକ୍ଷଣ ପରେ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
  • ବଜାଜ୍ ଏବଂ ଜେସିବି ପରି କମ୍ପାନୀର ଶିଳ୍ପପତିମାନଙ୍କୁ ଓଡ଼ିଶାରେ କାରଖାନା ପ୍ରତିଷ୍ଠା କରିବାକୁ ପରାମର୍ଶ
  • ସିଆଇଆଇ ଏବଂ ଜିଟକୋ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ୧୭ ଜଣ ପିଲା ମ୍ୟାନୁଫ୍ୟାକ୍ଚରିଂ ଏବଂ ହସ୍ପିଟାଲିଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଜାପାନ ଯିବେ
  • ସମ୍ବଲପୁର ‘ଦକ୍ଷ ଶ୍ରମଶକ୍ତି’ ପାଇଁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିବ

ସମ୍ବଲପୁର/ହୀରାକୁଦ, ୧୫/୦୨/୨୦୨୬ (ଓଡ଼ିଶା ସମାଚାର)- ସମ୍ବଲପୁରର ବିକାଶ ଏବଂ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ‘ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର’ (ଏମସିସି) ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ପିଲାମାନଙ୍କର ଶିକ୍ଷା ଓ ରୁଚି ଅନୁଯାୟୀ ସେମାନଙ୍କୁ ସଠିକ୍ କ୍ୟାରିୟର ପରାମର୍ଶ ଦେବା ସହ ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ର ବିଭିନ୍ନ ତାଲିମ ସହଯୋଗୀଙ୍କ ଜରିଆରେ ଆଧୁନିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବ ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ସହଭାଗିତା ଉପରେ ଗୁରୁତ୍ୱ ଦିଆଯାଇ ବଜାଜ୍ ଏବଂ ଜେସିବି ପରି ପ୍ରତିଷ୍ଠିତ କମ୍ପାନୀର ଶିଳ୍ପପତିମାନଙ୍କୁ ଓଡ଼ିଶାରେ କାରଖାନା ପ୍ରତିଷ୍ଠା କରିବାକୁ କିମ୍ବା ଏଠାକାର ଦକ୍ଷ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରାୟ ୪୦ ଜଣ ଯୁବକଙ୍କୁ ଦକ୍ଷତା ପ୍ରଶିକ୍ଷଣ ପରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି, ଯେଉଁମାନେ ବିଶେଷ କରି ଟାଟା ଇଲେକ୍ଟ୍ରୋନିକ୍ସ ପରି କମ୍ପାନୀରେ ଚୟନ ହୋଇଥିବା ପିଲାମାନେ ବେଙ୍ଗାଲୁରୁ ଯାଇ ବାର୍ଷିକ ପ୍ରାୟ ୨ ଲକ୍ଷ ଟଙ୍କାର ଦରମାରୁ ନିଜର କ୍ୟାରିୟର ଆରମ୍ଭ କରିବେ । ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ସ୍ତରରେ ଉଦ୍ୟୋଗ କ୍ଷେତ୍ରରେ ସବୁଠୁ ବଡ଼ ଅନୁଷ୍ଠାନ ସିଆଇଆଇ । ସିଆଇଆଇ ମଡେଲ କ୍ୟାରିୟର ସେଣ୍ଟର ମାଧ୍ୟମରେ ପିଲାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ କମ୍ପାନୀରେ ନିଯୁକ୍ତି ଦିଆଯାଉଛି, ଯାହା ପ୍ରଶଂସନୀୟ ।  

ଶ୍ରୀ ପ୍ରଧାନ, ଆଜି ସମ୍ବଲପୁରରେ ସିଆଇଆଇ ସହାୟତାରେ ଅନେକ ପଦକ୍ଷେପ ନିଆଯାଇଛି । ସିଆଇଆଇ ଏବଂ ଜିଟକୋ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ୧୭ ଜଣ ପିଲା ମ୍ୟାନୁଫ୍ୟାକ୍ଚରିଂ ଏବଂ ହସ୍ପିଟାଲିଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଜାପାନ ଯିବେ । ଏହା ଦ୍ୱାରା ସମ୍ବଲପୁର ଏବେ ତା’ର କଳା, ସଂସ୍କୃତି ଏବଂ ହୀରାକୁଦ ବନ୍ଧ ସହ ‘ଦକ୍ଷ ଶ୍ରମଶକ୍ତି’ ପାଇଁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିବ । ବିକଶିତ ସମ୍ବଲପୁରରୁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବା ସହ ଯୁବଶକ୍ତିଙ୍କୁ ସଶକ୍ତ କରିବା ହିଁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ମହାଶିବରାତ୍ରିର ପବିତ୍ର ଅବସରରେ ଏହା ସମ୍ବଲପୁରର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଉପହାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *