ଗିରଫ ହେଲେ ଦୁଇ ନିଶା ବେପାରୀ –  ୧୧୪ ଗ୍ରାମର ହେରୋଇନ ଜବତ ।

ଜଗତସିଂହପୁର, ୧୨/୦୨/୨୦୨୬ (ଓଡ଼ିଶା ସମାଚାର)-  ଦିନକୁ ଦିନ ଜଗତସିଂହପୁର ଜିଲ୍ଲାରେ ହେରୋଇନ ବ୍ୟବସାୟ ବଢି ଚାଲିଥିବାବେଳେ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ସଦର ଥାନା ଅନ୍ତର୍ଗତ ପୁରୋହିତପୁର ଛକରେ ଚଢାଉ କରି ୫୯ ଗ୍ରାମର ହେରୋଇନ ଜବତ କରିବା ସହ ବ୍ୟବସାୟରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଠାକୁରପାଟଣା ଗ୍ରାମର ବାବାଜୀ ଚରଣ ପୃଷ୍ଟିଙ୍କ ପୁଅ ଦେବେନ୍ଦ୍ର କୁମାର ପୃଷ୍ଟି। ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୋହିତପୁର ଛକ ଠାରେ ଜଗି ରହିଥିବା ବେଳେ ଅଭିଯୁକ୍ତ ଜଣକ ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବାକୁ ଆସିଥିବା ବେଳେ ପୂର୍ବରୁ ଛକି ରହିଥିବା ଟିମ ତାଙ୍କୁ କାବୁ କରିନେଇଥିଲା। ଯାଞ୍ଚ ପରେ ତାଙ୍କ ଠାରୁ ୫୯ ଗ୍ରାମର ହେରୋଇନ ସହ ଏକ ଆଣ୍ଡ୍ରଏଡ ଫୋନ  ଜବତ କରାଯାଇଥିଲା।

ଅଭିଯୁକ୍ତ ଙ୍କୁ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇ ଥିବାବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ସେହିପରି ଅନ୍ୟ ଏକ ଘଟଣାକ୍ରମେ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ପାରାଦୀପ ଅବକାରୀ ଥାନାର ଆଉ ଏକ ଟିମ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଉଛ୍ଛବାନନ୍ଦପୁର ଗ୍ରାମରେ ଚଢାଉ କରି ୫୫ ଗ୍ରାମର ହେରୋଇନ ଜବତ କରିବା ସହ ହେରୋଇନ ବ୍ୟବସାୟରେ ଲିପ୍ତ ଥିବା ସେହି ଗ୍ରାମର ନିତ୍ୟାନନ୍ଦ ମହାରଣାଙ୍କ ପୁଅ ବୁଲା ମହାରଣା (୫୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଜିର ଏହି ଚଢାଉ ରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର ଏ ଏସ୍ ଆଇ ସନ୍ତୋଷ ନାୟକ, ଏ ଏସ୍ ଆଇ ପିନାକୀ ରାଉତରାୟ, କନଷ୍ଟେବଳ ସବିତା ନାୟକ, ବିଶ୍ବରଞ୍ଜନ ସ୍ବାଇଁ, ସୁକାନ୍ତ ମାଝୀ ଏବଂ ପାରାଦୀପ ଅବକାରୀ ଥାନାର ଏ ଏସ୍ ଆଇ ଗୟାଧର ସେଠୀ, କନଷ୍ଟେବଳ ମନୋରଞ୍ଜନ ଦାସ, ନବଘନ ମାରାଣ୍ଡି, ସନ୍ତୋଷୀ ସାହୁ ପ୍ରମୁଖ ସାମିଲ ଥିଲେ।

ଅଭିଯୁକ୍ତମାନେ କେଉଁଠୁ ହରୋଇନ ଆଣୁଥିଲେ ଏବଂ ଏହି ବ୍ୟବସାୟ ପଛର ମାଷ୍ଟରମାଇଣ୍ଡ ଙ୍କୁ ଧରିବା ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅବକାରୀ ବିଭାଗ ଜେରା କରିବ ବୋଲି ଅବକାରୀ ଅଧିକ୍ଷକ ଅନୀତା ପ୍ରଧାନ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *