ପ୍ରଦ୍ୟୁଷଣ ବଢ଼ାଉଛି ଇଟାଭାଟି : ନିରବଦ୍ରଷ୍ଟା ଖଣି ଓ ରାଜସ୍ବ ବିଭାଗ

ଘଟଗାଁ, ୦୨/୦୨/୨୦୨୬ (ଓଡ଼ିଶା ସମାଚାର)-ପରିବେଶ ପ୍ରଦ୍ୟୁଷଣ ଆଜି ସମଗ୍ର ମାନବ ଜାତି ପାଇଁ ଏକ ଭୟାବହ ସମସ୍ୟା ରୂପେ ଦେଖାଦେଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଅସମୟରେ ବର୍ଷା, ଭୟଙ୍କର ଖରା, ବନ୍ୟା, ତାପଦାହ ପରି ପ୍ରାକୃତିକ ଦୁର୍ବିପାକ ମାନବ ଜୀବନକୁ ଅସ୍ଥିର କରୁଛି। ଏହାର ପ୍ରମୁଖ କାରଣ ଭାବେ ଅନିୟନ୍ତ୍ରିତ ଶିଳ୍ପ କାର୍ଯ୍ୟ, ଖଣି ଉତ୍ତୋଳନ ଓ ଇଟାଭାଟି ଭଳି ପରିବେଶ ବିରୋଧୀ କାର୍ଯ୍ୟକଳାପକୁ ଗଣନା କରାଯାଉଛି।

ପରିବେଶ ସୁରକ୍ଷା ପାଇଁ ସରକାର ପକ୍ଷରୁ ଇଟାଭାଟି ଉପରେ କଡା କଟକଣା, ଅନୁମତି ପ୍ରଣାଳୀ, ଜମି ବ୍ୟବହାର ନୀତି ଓ ପ୍ରଦ୍ୟୁଷଣ ନିୟନ୍ତ୍ରଣ ଆଇନ ଜାରି କରାଯାଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ଏହାର ସଠିକ୍ ପାଳନ ହେଉନାହିଁ। ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ପରି ଲକ୍ଷ ଲକ୍ଷ ଇଟା ତିଆରି କରାଯାଇ ଖୋଲାମେଲା ଭାବରେ ମାଳ ମାଳ ଇଟାଭାଟି ପୋଡ଼ାଯାଉଛି।

ଏହି ଇଟା ବ୍ୟବସାୟ କରୁଥିବା ଲୋକ ମାନେ ଚାଷଯୋଗ୍ୟ ଉର୍ବର ମାଟିକୁ ଧ୍ୱଂସ କରୁଥିବା ସହ ବାୟୁମଣ୍ଡଳକୁ ଗଭୀର ଭାବେ ପ୍ରଦ୍ୟୁଷିତ କରୁଛନ୍ତି। ଭାଟିରୁ ନିର୍ଗତ ହେଉଥିବା କ୍ଷତିକାରକ ବାଷ୍ପ କାର୍ବନ ଡାଇଅକ୍ସାଇଡ, ସଲଫର ଡାଇଅକ୍ସାଇଡ, ମିଥେନ ଭଳି ବିଷାକ୍ତ ବାଷ୍ପ ବାୟୁ ମଣ୍ଡଳରେ ପ୍ରବେଶ କରୁଥିବାରୁ   ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଗଭୀର ଆଶଙ୍କା ସୃଷ୍ଟି କରୁଛି। ଶ୍ୱାସକଷ୍ଟ, ଆଖି ଜ୍ୱାଳା, ଚର୍ମ ରୋଗ ଓ ଶିଶୁମାନଙ୍କ ଉପରେ ଏହାର କୁପ୍ରଭାବ ଦେଖାଦେଉଛି।

ଅଭିଯୋଗ ଅନୁସାରେ, ଅନେକ ଇଟାଭାଟି ମାଲିକ ଅନୁମତି ବିନା ଜମି ଖୋଦନ କରି ମାଟି ଉଠାଉଥିବା ବେଳେ ଖଣି ଓ ରାଜସ୍ବ ବିଭାଗ ପକ୍ଷରୁ କୌଣସି ପ୍ରକାର ନିରୀକ୍ଷଣ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ବିଭାଗୀୟ ନିରବତା ପଛରେ ଅନୈତିକ ଲେନଦେନ ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଅଞ୍ଚଳବାସୀଙ୍କ ଦାବି ଯେ, ତୁରନ୍ତ ଅବୈଧ ଇଟାଭାଟି ଚିହ୍ନଟ କରି ସେଗୁଡ଼ିକୁ ବନ୍ଦ କରାଯାଉ, ପରିବେଶ ନିୟମ ଉଲ୍ଲଂଘନ କରୁଥିବା ଇଟା ଭାଟି ମାଲିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଖଣି, ରାଜସ୍ବ ଓ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବିଭାଗ ସଂଯୁକ୍ତ ଭାବେ ତଦନ୍ତ କରନ୍ତୁ।

ଯଦି ସରକାର ଏ ସମୟରେ ଦୃଷ୍ଟି ନ ଦିଅନ୍ତି , ଆଗାମୀ ଦିନରେ ଘଟଗାଁ ଅଞ୍ଚଳ ଗଭୀର ପରିବେଶ ସଙ୍କଟର ସମ୍ମୁଖୀନ ହେବ ବୋଲି ସଚେତନ ମହଲ ଆଶଙ୍କା ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *