କଳାଗଡ ଗ୍ରାମରେ ୧୨୪୫ଚାଷୀଙ୍କ ୫୪୩.୩୫୧୦ ଏକର ଜମି ଅଧିଗ୍ରହଣ ହେବ
କେନ୍ଦ୍ରାପଡ଼ା,୨୮/୦୧/୨୦୨୬ (ଓଡ଼ିଶା ସମାଚାର)- ମହାକାଳପଡା ବ୍ଲକ ଯଦୁପୁର ପଂଚାୟତର କଳାଗଡ଼ଠାରେ ଶିଳ୍ପ ପ୍ରତିଷ୍ଠାକୁ ନେଇ ଆଜି ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ମଶାକଣୀ ବଡଦାଣ୍ଡ ପଡିଆରେ ଅନୁଷ୍ଠିତ ଜନ ଶୁଣାଣିରେ ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମାଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ମହାକାଳପଡା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଯଦୁପୁର ସରପଂଚ ସଂଯୁକ୍ତା ଜେନା, କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଇଡ଼କୋ ଜମି ଅଧିଗ୍ରହଣ ଅଧିକାରୀ ସ୍ମିତାଞ୍ଜଳି ଦାସ, ମହାକାଳପଡ଼ା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ଦୀପାର ଆଫ୍ଟର କେଆର ରିଲେସନସିପ ଏକ୍ସପୋର୍ଟ ବଳରାମ ସାହୁ ଙ୍କ ସମେତ ଲାଇଫ ଏକାଡେମୀ ଅଫ ଭୋକେସନାଲ ଷ୍ଟଡ଼ି ର ସଂଯୋଜକ କୋଅର୍ଡିନେଟର ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ଦୀପା ଟିମ ଲିଡର ସୌଭାଗ୍ୟ ରଞ୍ଜନ ମଲ୍ଲିକ ସଂଚାଳନା କରିଥିଲେ । ସୂଚନା ଯୋଗ୍ୟ ଯେ, କଳାଗଡ଼ ଗ୍ରାମର ୫୪୩.୩୫୧୦ ଏକର ବେସରକାରୀ ଜମି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅଧିଗ୍ରହଣ ହେବ । ଲାଭ୍ସ, ଭୁବନେଶ୍ୱର ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସର୍ବେକ୍ଷଣ ସମୟରେ ଆସିଥିବା ଅଭିଯୋଗ ଏବଂ ପ୍ରସ୍ତାବ ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ଆଜିର ଜନ ଶୁଣାଣିରେ ପ୍ରଭାବିତ ଲୋକ ଶିଳ୍ପ ପ୍ରତିଷ୍ଠାକୁ ସ୍ୱାଗତ କରିବା ସହିତ ପ୍ରତିବଦଳରେ ତାଙ୍କର କିଛି ଦାବି ଉପସ୍ଥାପନ କରିଛନ୍ତି । ୱେଲସପୁନ ଲିଭିଂ ଲିମିଟେଡ଼ (ଟେକ୍ସଟାଇଲ), ୱେଲସପୁନ ନିଉ ଏନର୍ଜି ଲିମିଟେଡ଼(ଗ୍ରୀନ ହାଇଡ୍ରୋଜେନ ଏବଂ ଆମୋନିଆ),ଆକମେ ଅକ୍ଷୟ ଏନର୍ଜି ପ୍ରାଇଭେଟ ଲିମିଟେଡ଼ (ଗ୍ରୀନ ହାଇଡ୍ରୋଜେନ ଲିମିଟେଡ଼) ଏବଂ କୈବଲ୍ୟ ଲଜିଷ୍ଟିକ ପ୍ରାଭେଟ ଲିମିଟେଡ଼ ପ୍ରମୁଖ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ପାଇସାରିଥିବା ବେଳେ, ଗୋଟିଏ ଶିଳ୍ପ ନିମନ୍ତେ ଚୂଡାନ୍ତ ନିଷ୍ପତି ରାଜଧାନୀ ଭୁବେନେଶ୍ୱରରେ ହେବ ବୋଲି ସୂଚନା ଦିଆଯାଇଛି ।
