ଭୁବନେଶ୍ୱର,୨୫/୦୧/୨୦୨୬ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ରାଷ୍ଟ୍ରପତି । ୪ଜଣ ଓଡ଼ିଆଙ୍କ ସମେତ ମୋଟ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ତାଲିକାରେ ଦୁଇଜଣ ଯୁଗଳ ସାମିଲ । ତାଲିକା ଅନୁସାରେ ପାଞ୍ଚଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ । ଏମାନଙ୍କ ମଧ୍ୟରେ ୧୯ ଜଣ ମହିଳା, ବିଦେଶୀ ନାଗରିକ, ଅଣ-ଆବାସିକ ଭାରତୀୟ (NRI), ଭାରତୀୟ ମୂଳ ବ୍ୟକ୍ତି (PIO) ଏବଂ ଭାରତୀୟ ପ୍ରବାସୀ ନାଗରିକ (OCI) ବର୍ଗର ଛଅ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ୧୬ ଜଣଙ୍କୁ ମରଣୋତ୍ତର ଭାବରେ ସମ୍ମାନିତ କରାଯାଇଛି ।ପ୍ରବୀଣ ଅଭିନେତା ଧର୍ମେନ୍ଦ୍ର ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ଏବଂ ପଦ୍ମଭୂଷଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
କିମ୍ବଦନ୍ତୀ ଚଳଚ୍ଚିତ୍ର ତାରକା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନଭେମ୍ବର ୨୪ ତାରିଖରେ ହୋଇଥିବା ବେଳେ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ମୃତ୍ୟୁ ଗତ ବର୍ଷ ଅଗଷ୍ଟ ୪ ତାରିଖରେ ହୋଇଥିଲା ।
ତେବେ ଓଡିଶାରୁ ୪ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ ହୋଇଛନ୍ତି । ଶ୍ରୀ ଚରଣ ହେମ୍ବ୍ରମ , ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ।
ସାନ୍ତାଳୀ ଭାଷା ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଉଛି ।ଚରଣ ହେମ୍ବ୍ରମ ଓଡ଼ିଶାର ଜଣେ ବିଶିଷ୍ଟ ସାନ୍ତାଳୀ ଲେଖକ ଏବଂ ସଙ୍ଗୀତକାର । ସେ ଏବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସେ ସାନ୍ତାଳୀ ଭାଷା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ତାଙ୍କୁ ସାନ୍ତାଳୀ ଭାଷାର “ପ୍ରହରୀ” ଭାବେ ଅଭିହିତ କରାଯାଏ । ସେ ଗତ ୩୦ ବର୍ଷରୁ ଅଧିକ ସମୟ ଧରି ସାନ୍ତାଳୀ କଳା ଏବଂ ସାହିତ୍ୟକୁ ସମାଜର ମୁଖ୍ୟ ସ୍ରୋତରେ ସ୍ଥାନିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ସେ ଆଦିବାସୀ ଯୁବକମାନଙ୍କୁ ସାଂସ୍କୃତିକ ଶିକ୍ଷା ପ୍ରଦାନ କରିବା ପାଇଁ ଏକାଧିକ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ମୁଖ୍ୟତଃ ମହିଳାମାନଙ୍କ ମଧ୍ୟରେ ସାନ୍ତାଳୀ ପାରମ୍ପରିକ ନୃତ୍ୟର ପ୍ରସାର କରି ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ଚେଷ୍ଟା କରିଛନ୍ତି ।
ସେହିପରି ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ କଳା ପାଇଁ ପଦ୍ମଶ୍ରୀ ସମ୍ମାନ ।


ମହେନ୍ଦ୍ର କୁମାର ମିଶ୍ର ଓଡ଼ିଶାର ଜଣେ ବିଶିଷ୍ଟ ଭାଷାବିତ୍ ଏବଂ ଲୋକ ଗବେଷକ । ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ମୌଖିକ ପରମ୍ପରା, ପୁରାଣ, ଲୋକଗୀତ ଏବଂ ପ୍ରବାଦଗୁଡ଼ିକୁ ସଂଗ୍ରହ ତଥା ସଂରକ୍ଷଣ କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଓଡ଼ିଆ ଏବଂ ଆଦିବାସୀ ଲୋକସଂସ୍କୃତି ଉପରେ ସେ ୨୫ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। କଟକ ଜିଲ୍ଲା ନୂଆପାଟଣା ଗାଁର ଶରତ କୁମାର ପାତ୍ର । ଓଡ଼ିଶାର ପାରମ୍ପରିକ ବାନ୍ଧ କଳାର ଜଣେ ମହାନ କାରିଗର। ପ୍ରାକୃତିକ ରଙ୍ଗ ବ୍ୟବହାର କରି ବାନ୍ଧ କଳାରେ ନିପୁଣତା ହାସଲ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଗୀତ ଗୋବିନ୍ଦ ଶ୍ଳୋକ, ଦଶାବତାର ଏବଂ ବୁଦ୍ଧଙ୍କ ଜୀବନୀକୁ ଲୁଗାରେ ବାନ୍ଧ କଳା ମାଧ୍ୟମରେ ଅତି ନିଖୁଣ ଭାବେ ଫୁଟାଇ ପାରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗାଁର ସୀମାଞ୍ଚଳ ପାତ୍ର । ୯୮ ବର୍ଷ ବୟସରେ ବି ପ୍ରହଲ୍ଲାଦ ନାଟକ ଜରିଆରେ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବା ସହ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବପୂର୍ଣ୍ଣ ଅବଦାନ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଆଖଡ଼ା ପ୍ରସ୍ତୁତ କରି ଅନେକ ଛାତ୍ରଙ୍କୁ ପ୍ରଶିକ୍ଷଣ ଦେବା ସହ ଅନେକ କଳାକାର ସୃଷ୍ଟି କରିପାରିଛନ୍ତି । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରହଲ୍ଲାଦ ନାଟକର ବିଭିନ୍ନ କ୍ଷେତ୍ରରେ ଗୁରୁ ପ୍ରହଲ୍ଲାଦ ପାତ୍ରଙ୍କ ଅବଦାନ ଅତୁଳନୀୟ ।
