ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬ # ଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର 

ଭୁବନେଶ୍ୱର,୨୩/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କିଏ ଧୀର ମନ୍ଥର ଗତିରେ ଆସୁଥିଲେ ତ କିଏ ଦ୍ରୁତ ଗତିରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । କିଏ ଚୋର ଧରିବାର କୌଶଳ ଦେଖାଉଥିଲେ ତ ଆଉ କିଏ ହାଇ ଜମ୍ପ ଓ ହର୍ଡଲ୍ସ ଜମ୍ପରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କ ସମ୍ମୁଖରେ ଆଘ୍ରାଣ ଶକ୍ତିକୁ ପ୍ରଦର୍ଶନ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ ମଣିଷର ସବୁଠାରୁ ବିଶ୍ଵସ୍ତ ପ୍ରାଣୀ  ‘ଶ୍ଵାନ’ ।

“ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା – ୨୦୨୬”ର ଅନ୍ତିମ ଦିବସରେ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ଚିତାକର୍ଷକ ‘ଡଗ୍  ସୋ’ ଦର୍ଶକଙ୍କ ହୃଦୟ ଜିତିଛି । ଏହି ‘ଡଗ୍  ସୋ’ରେ ଜର୍ମାନ ସେଫର୍ଡ, ବେଲଜିଆନ ମାଲିନୋଇସ୍, ଲାବ୍ରାଡର୍, ହସକୀ, ପୁଡଲୀ, ମିନିଏଚର୍ ସ୍ପିନସର୍, କେନ୍ କର୍ସୋ, ପୋମେରିଆନ, କାରାଭାନ୍ ହାଉଣ୍ଡ, ଗ୍ରେଟ୍ ଡେନ୍, ରିଟ୍ରିଭର୍, ଗୋଲ୍ଡେନ ରିଟ୍ରିଭର୍, ବିଗଲ୍, ଆକିତା ଇନୁ, ସ୍ପିଜ୍, ଫ୍ରେଞ୍ଚ୍ ବୁଲଡଗ୍ ଆଦି ୧୭ଟି ପ୍ରଜାତିର ୬୫ଟି ଶ୍ଵାନ ଅଂଶଗ୍ରହଣ କରିଥିଲେ । ଶ୍ଵାନମାନଙ୍କ ଦକ୍ଷତାର ବୈଶିଷ୍ଟ୍ୟ, ଅନୁସରଣ କ୍ଷମତା ଏବଂ ନିଜସ୍ଵ ବ୍ୟବହାର ଶୈଳୀ ଦେଖଣାହାରୀଙ୍କୁ ଆକର୍ଷିତ କରିଥିଲା । ଓଡ଼ିଶା କେନେଲ୍ କ୍ଲବର ସଭାପତି ସୁବ୍ରତ ପୃଷ୍ଟି ଓ ଶ୍ଵାନ ପ୍ରଶିକ୍ଷକ ଦିଲ୍ଲିପ ସାହୁ ଏହାକୁ ପରିଚାଳନା କରାଇଥିଲେ ।

ଶ୍ଵାନ ସହ ମଣିଷର ସମ୍ପର୍କ ବହୁ ପୁରୁଣା । ବିଶ୍ଵସ୍ତ ପ୍ରାଣୀ ହୋଇଥିବାରୁ ଏହାର ଲାଳନପାଳନ ପାଇଁ ରହିଛି ଏକ ନିଆରା ଆକର୍ଷଣ । ଚୋର ଧରିବା ହେଉ ଅବା ବିଭିନ୍ନ ସୁରକ୍ଷା ବାହିନୀରେ ନିୟୋଜିତ ହୋଇ ନିଜର ରଣ କୌଶଳ ପ୍ରଦର୍ଶନ କରିବା ସହ ଏମାନେ ନିଜର ପାରଦର୍ଶିତା ଦେଖାଇ ଆସିଛନ୍ତି । ତେଣୁ ଆଜି ‘ଡଗ୍ ସୋ’ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ଼ ଜମିଥିଲା ।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଏବଂ ଓଡ଼ିଶା କେନେଲ କ୍ଲବର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ । ପ୍ରଦର୍ଶନୀ ଶେଷରେ ଅଂଶଗ୍ରହଣକାରୀଙ୍କୁ ସମ୍ମାନୀତ କରାଯାଇଥିଲା । ଏହି “ଡଗ୍ ସୋ”ରେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଶାସନ ସଚିବ ରିନା ମହାପାତ୍ର, ବ୍ୟକ୍ତିଗତ ସଚିବ ବାଦଲ ମହାନ୍ତି, ଅନୁଶାସନ ସଚିବ ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ଆଲୋକ କୁମାର ମହାନ୍ତି ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *