ପ୍ରାକ୍ ପ୍ରସ୍ତୁତି ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା
ନିର୍ବାଚନ ପୂର୍ବରୁ ଘରକୁ ଘର ଭୋଟର ସର୍ଭେ
ଭୁବନେଶ୍ୱର,୧୮/୦୧/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପଂଚାୟତ ଓ ପୌର ନିର୍ବାଚନ ହେବ । ୨୦୨୭ ଜାନୁଆରୀ ସୁଦ୍ଧା କାର୍ଯ୍ୟକାଳ ପ୍ରାୟତଃ ଶେଷ ହେଉଛି । ତେଣୁ ଏହି ସମୟରେ ନିର୍ବାଚନ କରିବାକୁ ଆପାତତଃ ନିଷ୍ପତି ହୋଇଛି । ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ । ସେ କହିଛନ୍ତି ଯେ, ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଘରକୁ ଘର ଭୋଟର ସର୍ଭେ ହେବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୋଟର ସର୍ଭେ ସରିବ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର ସର୍ଭେ । ହେଲେ ଏସଆଇଆର୍ ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ । ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରିବା ପ୍ରାଥମିକ ଲକ୍ଷ୍ୟ ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି ।
ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀ ୨୦୨୬ ତାରିଖ ରେ କଟକସ୍ଥିତ କେନ୍ଦ୍ରାଂଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କେନ୍ଦ୍ରାଂଚଳ ରାଜସ୍ୱ ରେଞ୍ଜ ଅନ୍ତର୍ଗତ ୧୦ଟି ଜିଲାର ଜିଲାପାଳ, ପୌର କମିଶନର, ଅତିରିକ୍ତ ଜିଲାପାଳ, ଉପ- ଜିଲାପାଳ, ଡ଼େପୁଟି କଲେକ୍ଟର(ଜି ଆଣ୍ଡ ଏମ୍ ବିଭାଗ )ଏବଂ ଜିଲ୍ଲା ପଂଚାୟତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ତ୍ରି-ସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବାଲଟ୍ ପେପର୍ ମୁଦ୍ରଣ, ଗଣନା କେନ୍ଦ୍ରର ଚିହ୍ନଟ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ପିଆରଆଇ ଏବଂ ୟୁଏଲବିଏସ୍-୨୦୨୭ ସମ୍ପର୍କିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାର୍ଯ୍ୟ ପାଇଁ ତାରିଖ ସୀମା, ୨୦୨୨ ପଂଚାୟତ ଓ ପୌର ନିର୍ବାଚନ ସମ୍ପର୍କିତ ବକେୟା ଥିବା ଡିସି ବିଲ୍/ୟୁସି ଦାଖଲ ,ଗ୍ରାମ ପଂଚାୟତ ଓ ପୌର ଅଂଚଳରେ ସର୍ଭେ ରୁଟ୍ ର ଜିଆଇଏସ୍ ମ୍ୟାପିଂ କରିବା, ଭୋଟର ତାଲିକା ଅନ୍ତର୍ଭୁକ୍ତିକରଣ ତ୍ରୁଟିଗୁଡ଼ିକୁ ଅପସାରଣ ଏବଂ ବାଦକରଣ ତ୍ରୁଟିଗୁଡ଼ିକୁ ଭୋଟର ତାଲିକା ରେ ଯୋଡିବା ,ଗଣନା ହଲ୍ ଏବଂ ଟେବୁଲ ବୃଦ୍ଧି କରିବା, ଅସ୍ଥାୟୀ ବୁଥକୁ ସ୍ଥାୟୀ ବୁଥରେ ପରିଣତ କରିବା, ସମ୍ବେଦନ ଓ ଅତିସମ୍ବେଦନଶୀଳ ବୁଥ୍ ଗୁଡ଼ିକୁ ଚିହ୍ନଟ କରିବା,ଅତିସମ୍ବେଦନଶୀଳ ବୁଥ ରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ଭୋଟଦାନର ଗୋପନୀୟତା ବଜାୟ ରଖିବା ପାଇଁ ପଂଚାୟତ ନିର୍ବାଚନର ବାଲଟ୍ ପେପରଗୁଡ଼ିକର ନୂତନ ଗଣନା ପ୍ରକ୍ରିୟା, ଅର୍ଥାତ୍ ଏକତ୍ରୀକରଣ, ମିଶ୍ରଣ ଏବଂ ଗଣନା ଆଦି ଉପରେ ଆଲୋଚନା କରାଯାଇଥିଲା ।
