ଜାନୁଆରୀ ୨୮ରେ ଓଡ଼ିଶା ବନ୍ଦ ପାଇଁ ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ

ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥାର ଶିକାର ହେଉଥିବା ଚାଷୀଭାଇ, ପ୍ରଦୂଷଣ ନାମରେ ସାଧାରଣ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଜୋରିମାନା ଆଦାୟ ଏବଂ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାରର ସ୍ମାର୍ଟ ମିଟର ଲଗାଇବା ଠାରୁ ଆରମ୍ଭ କରି ଚାଲିଥିବା ଲୁଟ୍ ର ପ୍ରତିବାଦ ଏବଂ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀଙ୍କ ଗୁଣ୍ଡାଙ୍କ ଦ୍ୱାରା ନବନିର୍ମାଣ ନେତୃତ୍ୱଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆସନ୍ତା ଜାନୁଆରୀ ୨୮ ତାରିଖ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ୍ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ଏ ନେଇ ଶନିବାର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଘୋଷଣା କରିଛନ୍ତି ।

ବର୍ତମାନ ପର୍ଯ୍ୟନ୍ତ ଚାଷୀମାନେ ଟୋକନ ପାଇପାରି ନାହାଁନ୍ତି, ଟୋକନ ମିଳିଲେ ସେଥିରେ ଗତବର୍ଷ ୪୦ କୁଇଂଟାଲ ଧାନ ବିକ୍ରି କରିଥିଲା ବେଳେ ଚଳିତବର୍ଷ ୧୦ କୁଇଂଟାଲ ଓ ୨୦ କୁଇଂଟାଲ ଆସୁଛି । ପ୍ରତି ମଣ୍ଡିରେ ଏଫ୍.ଏ.କୁ୍ୟ ନାମରେ ପ୍ରାୟତଃ କୁଇଂଟାଲ ପିଛା ଅତି କମ୍ ରେ ୩/୫ କେଜି ପର୍ଯ୍ୟନ୍ତ କାଟି ନିଆଯାଉଛି । ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ,ଚାଷୀଙ୍କ ଠାରୁ ମାତ୍ର ୧୫୦ କୁଇଂଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ, ବାକି ଧାନକୁ ଚାଷୀ ବାହାର ବଜାରରେ ବିକି୍ର କରିବେ । ଏବେବି ହଜାର ହଜାର କୁଇଂଟାଲ ଧାନକୁ ଚାଷୀମାନେ ଓଡ଼ିଶାର ଅଧିକାଂଶ ମଣ୍ଡିରେ ରାତିରେ ଜଗି ରହିଛନ୍ତି । ସରକାର କେବଳ ଚାଷୀଙ୍କୁ ହନ୍ତସନ୍ତ କରି ମାରିବା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ବୋଲି ଶ୍ରୀ କୁମାର ଅଭିଯୋଗ କରିଛନ୍ତି ।

ସେହିପରି ଟାଟା ପାୱାର ସ୍ମାର୍ଟ ମିଟର ଲଗାଇବା ନାମରେ ସାଧାରଣ ଲୋକଙ୍କୁ ଲୁଟ୍ କରିବା ପାଇଁ ଯେଉଁ ରାସ୍ତା ତିଆରି କରୁଛନ୍ତି, ତାହାକୁ ବନ୍ଦ୍ କରିବା ସହିତ ଏଠାରେ ଉତ୍ପାଦିତ ହେଉଥିବା ବିଜୁଳିକୁ ଚାଷକାର୍ଯ୍ୟ ପାଇଁ ଚାଷୀମାନଙ୍କୁ ମାଗଣାରେ ଯୋଗାଇ ଦେବା ଏବଂ ବିଜେପିର ଡବଲ ଇଞ୍ଜିନ ସରକାର ନିର୍ବାଚନରେ ଘୋଷଣା କରିଥିବା ୩୦୦ ୟୁନିଟ୍ ବିଜୁଳି ମାଗଣରେ ସାଧାରଣ ଗ୍ରାହକଙ୍କୁ ଯୋଗାଇ ଦେବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଦାବି କରିଛନ୍ତି । ଏତଦ୍ ବ୍ୟତୀତ ଓଡ଼ିଶା ସରକାର ପ୍ରଦୂଷଣ ନାମରେ ସାଧାରଣ ଜନତାଙ୍କ ଠାରୁ ଆଦାୟ କରୁଥିବା ହଜାର ହଜାର ଜୋରିମାନା ଟଙ୍କା ସରକାର ତତ୍କାଳ ବନ୍ଦ କରନ୍ତୁ । ନଚେତ ଓଡ଼ିଶାର ରାଜରାସ୍ତାରେ ମନ୍ତ୍ରୀ ଓ ସଚିବଙ୍କୁ ଚାଲିବାକୁ ଦିଆଯିବ ନାହିଁ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍.ଡି. ମନୱର ଅଲ୍ଲୀ କହିଛନ୍ତି ।

ସୁପ୍ରିମ କୋର୍ଟ ଦେଇଥିବା ଆଦେଶକୁ କାର୍ଯ୍ୟକାରୀ କରି ଜମି, ଜଳ, ଜଙ୍ଗଲ ଓ ଖଣି ଇତ୍ୟାଦିକୁ ନଷ୍ଟ କରିଥିବା ଖଣି କମ୍ପାନୀମାନଙ୍କ ଉପରେ ବାକି ପଡ଼ିଥିବା ୩,୯୬୬ କୋଟି ଟଙ୍କାକୁ ରାଜ୍ୟ ସରକାର ଆଦାୟ କରିପାରୁ ନାହାଁନ୍ତି । ୪୨ଟି ଶିଳ୍ପ କମ୍ପାନୀମାନଙ୍କ ଠାରୁ ୩,୯୭୭ କୋଟି ଟଙ୍କା ଆଦାୟ କରିପାରୁ ନାହାଁନ୍ତି । ଖଣି କମ୍ପାନୀ ଉପରେ ଖଣିତ ଦ୍ରବ୍ୟ ଉତୋଳନ ପାଇଁ ଚୁକ୍ତି ଖିଲାପ ଅଭିଯୋଗରେ ୫ ବର୍ଷରେ ପଡ଼ିଥିବା ୪୧ହଜାର ୫୬୮ କୋଟି ୧୨ ଲକ୍ଷ ୬୨ ହଜାର ୪୭୪ ଟଙ୍କା ଆଦାୟ କରିବାର ସରକରାଙ୍କର ସତ୍ ସାହସ ନଥିବା ବେଳେ ଭୋଟ ଦେଇ ସରକାର ଗଢିଥିବା ସାଧାରଣ ବ୍ୟକ୍ତିଙ୍କ ଉପରେ ସରକାର ନାଲିଆଖି କାହିଁକି ଦେଖାଉଛନ୍ତି ବୋଲି ଶ୍ରୀ ଅଲ୍ଲୀ ପ୍ରଶ୍ନ କରିଛନ୍ତି । କୃଷିମନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ ଗୁଣ୍ଡାମାନେ ଓ ପୁଲିସ୍ ଏସ୍.ପି.ଙ୍କ ଆକ୍ରମଣ ଦ୍ୱାରା ଗଣତାନ୍ତ୍ରିକ ମୂଲ୍ୟବୋଧ ନଷ୍ଟ ହୋଇଛି ବୋଲି କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ଅଭିଯୋଗ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କମିଟି ସଦସ୍ୟ ଶ୍ରୀ ଦେବୀ ପ୍ରସାଦ ମହାରଣାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *