ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ – ଏସପି ଅଫିସ ଘେରାଉ କଲା ଜିଲା ବିଜେଡି

କେନ୍ଦ୍ରାପଡ଼ା, ୧୬/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ପୋଲିସ ଏବେ ଗେରୁଆ ଗାମୁଚ୍ଛାଧାରୀଙ୍କୁ ସମ୍ମାନ ଦେଉଛି । ଗେରୁଆ ଗାମୁଛା ପକାଇଥିବା ଲୋକମାନେ ଯାହା ଦୋଷ କଲେ ବି ସେମାନଙ୍କୁ ତିନିଗୁଣ ମାଫ୍ । କିନ୍ତୁ ସାଧାରଣ ଜନତା ସାମାନ୍ୟ ଟିକେ ଭୁଲ କଲେ ସେମାନଙ୍କୁ ସେଙ୍ଗ ସେଙ୍ଗ ଜେଲ ପଠାଇ ଦେଉଛି । ଥାନା ଏବେ ବିଜେପି ଅଫିସରେ ପରିଣତ ହୋଇଛି । ବିଜେଡି ବିଧାୟକମାନେ ଏହି ଅଭିଯୋଗ କରି ଶୁକ୍ରବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଗିରଫ ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀମାନେ ବିଜେପି ସରକାର ବିରୁଦ୍ଧରେ ପ୍ରତିବାଦ କରି ଏସପି ଅଫିସ ନିକଟକୁ ଯାଇଥିଲେ । ସେଠାରେ ଏସପିଙ୍କ ଠାରୁ ଜିଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଥିଲେ । ଜିଲା ବିଜୁ ଜନତା ଦଳ ସଭାପତି ଶିବ ପ୍ରସାଦ ଭଳଙ୍କ ଅଧ୍ୟକ୍ଷତାରେ ଏସପିଙ୍କ ଅଫିସ ନିକଟରେ ଏକ ପ୍ରତିବାଦ ସଭା ହୋଇଥିଲା ।

ଏଥିରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଗତ ୧୫ ବର୍ଷ ମଧ୍ୟରେ ଜିଲାରେ କୌଣସି ରାଜନୈତିକ ଦଳ ଏସପି ଅଫିସ ଘେରାଉ କରି ନଥିଲେ । ଆଜି କାହିଁକି ଏସପି ଅଫିସ ଘେରାଉ କରାଗଲା ବୋଲି ଆଳି ବିଧାୟକ ପ୍ରତାପ ଦେବ ପ୍ରଶ୍ନ କରିଥିଲେ । ବର୍ତମାନ ରାଜ୍ୟରେ ଲୋକଙ୍କ ସରକାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ନାରା ଦେଉଛନ୍ତି ତାହା କେବଳ ବାହାସ୍ଫୋଟ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ବେଳେ ଜିଲାରେ ଥିବା ଥାନାଗୁଡିକ ବିଜେପି କାର୍ଯ୍ୟାଳୟ ପାଲଟିଛି । ଏହି ଆନ୍ଦୋଳନ ଆଜିଠୁ ଆରମ୍ଭ ହେଲା , ଆଗକୁ ଅଧିକ ଭୟଙ୍କର ରୂପ ନେବ । ଯେତେବେଳେ ଲୋକଙ୍କ ଉପରେ ଆନ୍ଚ ଆସିଛି ସେତେବେଳେ ବିଜେଡି ଗର୍ଜନ କରିଛି । ଯେଉଁ ପୋଲିସ ଅଧିକାରୀଙ୍କ ପକେଟ୍ ଉଚ୍ଚା ରହିବ ସେ ଥାନାରେ ନିଯୁକ୍ତି ପାଇବେ ।

ଜଣେ ଅଧିକାରୀ ଜଣେ ବିଜେପି ନେତାଙ୍କୁ ୭ ଲକ୍ଷ ଦେଲେ ଜିଲାର ଗୋଟିଏ ଥାନାରେ ନିଯୁକ୍ତି ପାଇବା ପାଇଁ । କିନ୍ତୁ ତାଙ୍କ କଥା ଶୁଣା ଗଲାନାହିଁ । ଯେଉଁ ଅଧିକାରୀ ୧୦ ଲକ୍ଷ ଦେଲେ ସେ ନିଯୁକ୍ତି ପାଇଲେ । ଥାନାରେ ଗେରୁଆ ଗାମୁଛା ପକାଇ ଆସିଲେ ସେମାନଙ୍କ କାମ ସେଙ୍ଗ ସେଙ୍ଗ ହେଉଥିବା ବେଳେ ଅନ୍ୟମାନଙ୍କ କଥାକୁ ପୋଲିସ ଖାତିର କରୁନାହିଁ । ଜିଲାରେ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଯାହାର ଉଦାହରଣ ହେଉଛି ରାଜନଗରରେ ମହିଳା ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଆକ୍ରମଣ । ଆଜିର ଆନ୍ଦୋଳନ ହେଉଛି ଟେଲର । ଆଗାମୀ ଦିନରେ ପୋଲିସ ଫିଲ୍ମ ଦେଖିବ ବୋଲି ସେମାନେ କହିଥିଲେ । ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବା ପାଇଁ ଏହି ଆନ୍ଦୋଳନ କରାଯାଇଛି । ଜିଲାରେ ସ୍ୱେଚ୍ଛାଚାର ଶାସନ ଚାଲିଛି । ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି । ପୋଲିସ ଏବେ ସରକାରୀ ଦଳର ହାତବାରିସି ସାଜିଛି । କାରଣ ଆଇନ୍ କହୁଛି ଯେକୌଣସି ବ୍ୟକ୍ତି କୌଣସି ନିର୍ଯ୍ୟାତନା କିମ୍ବା ଅପରାଧ ବିରୁଦ୍ଧରେ ସ୍ୱର ଉତୋଳନ କରି ଥାନାରେ ଏତଲା ଦେଲେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ କେନ୍ଦ୍ରାପଡ଼ା ପୋଲିସ ଜିଲାରେ ଆଇନ୍ ର ଶାସନ ଚାଲିନାହିଁ ।

ଏବେ ଜେଲଭରୋ ଆନ୍ଦୋଳନ ହେଲା । ଆଗାମୀ ଦିନରେ ବିଜେଡି ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ । ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରି ବିଜେଡି ନେତା କହିଲେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବୋଲି କିଛି ନାହିଁ । ଗତ ୨ ବର୍ଷ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ । ଶୁଭଦ୍ରା ଯୋଜନାରେ ଲୋକଙ୍କୁ ଟଙ୍କା ଦେଇ ଅନ୍ୟ ବାଟେ ଲୁଟୁଛନ୍ତି । ରାଜ୍ୟରେ ସରକାରୀ ଅଧିକାରୀମାନଙ୍କୁ ବିଜେପି ନେତାମାନେ କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି । ମହିଳାଙ୍କ ପ୍ରତି ସରକାରଙ୍କ ସମ୍ମାନ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଜନଗରରେ ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ । ପୋଲିସ ବିଜେପି ନେତାମାନଙ୍କ ପାଇଁ ଗୁଣ୍ଡା ସାଜିଛି । ବିଜେପି ନେତାମାନେ ବାଲି, ଗୋଡି ଓ ମାଟିକୁ ଖାଇଯିବା ପାଇଁ ହାଁ ହାଁ ହେଉଛନ୍ତି ବୋଲି ଶ୍ରୀ ଜେନା କହିଥିଲେ । ଜିଲାରେ ଆଇନ୍ ଶୃଙ୍ଖଳା ଭୁଷୁଡି ପଡିଛି । ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ କରାଗଲା । ଏ ନେଇ ବ୍ଲକର ମହିଳା ଅଧ୍ୟକ୍ଷ ବିଡିଓଙ୍କୁ କରାଯାଇଥିବା ଦୁର୍ବ୍ୟବହାର ସଂକ୍ରାନ୍ତରେ ଥାନାରେ ଏତଲା ଦେଲେ । କିନ୍ତୁ ପୋଲିସ ବିଜେପି ନେତା ଓ କର୍ମୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ।

ୱାର୍ଡ ମେମ୍ବର ହୋଇ ନଥିବା କୁଜି ନେତାଙ୍କୁ ପୁଲିସ ସୁରକ୍ଷା ଦେଉଛି । ବ୍ଲକର ବିକାଶ ମୂଳକ କାର୍ଯ୍ୟରେ ପୋଲିସ ଅଯଥା ହସ୍ତକ୍ଷେପ କରୁଛି । ଯାହା ଫଳରେ ମହିଳା ବିଡିଓଙ୍କୁ ଦୁର୍ବ୍ୟବହାର କରିବାକୁ କୁଜି ନେତାମାନେ ପଛାଉ ନାହାଁନ୍ତି । ଜିଲାରେ ଥିବା ବାଲି ଖାଦାନ ନିଲାମ ହେଉନାହିଁ । ଏହାକୁ ବିଜେପି ନେତା ଓ ପୋଲିସ ରାଧେ ରାଧେ କରି ଖାଇ ଯାଉଛନ୍ତି । ବାଲି ଟ୍ରିପ ୨୦ ହଜାର ହୋଇଥିବା ବେଳେ ଗୋଡି ଟି୍ରପ ୪୦ ହଜାର ହେଲାଣି । ଏହାଦ୍ୱାରା ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲିସ ଏଥିପାଇଁ ଦାୟୀ ବୋଲି ରାଜନଗର ବିଧାୟକ ଶ୍ରୀ ସାହୁ କହିଛନ୍ତି । ଏପରି ଅନ୍ୟାୟ ଓ ଅନୀତିକୁ ବିଜେଡି ସହିବ ନାହିଁ । ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବ ବୋଲି ସେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ଲିଲିତା ଦାସ, ଉପସଭାପତି ଭୀଷ୍ମ ମହାନ୍ତି, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଆଇନ୍ଜୀବୀ ଭୀମସେନ ଭୂୟାଁ, ମନୋରଞ୍ଜନ ସାମଲ, ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରୋସ୍ନା ସାହୁ, ପ୍ରତିଭା ପାତ୍ର, ପ୍ରଦୁ୍ୟମ୍ନ ସାମନ୍ତରାୟ, ରଞ୍ଜିତ ସାହୁ, ଲୋହିତ ମହାନ୍ତି, ହିରଣ୍ୟ ପଣ୍ଡା, ସ୍ୱାଧୀନ ନାୟକ, ଦେବାଶିଷ ଆଚାର୍ଯ୍ୟ, ରାଜେଶ ପଣ୍ଡା, ଯଯାତି ମହାନ୍ତି, ମଧୁଛନ୍ଦା ମହାନ୍ତି, ମୋହନ ଆଚର୍ଯ୍ୟ ପ୍ରମୁଖ ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳାକୁ ନେଇ ପୋଲିସକୁ ତୀବ୍ର ସମାଲୋଚନା କରିବା ସହିତ ବିଜେପି ସରକାର ଏଥିପାଇଁ ଦାୟୀ ବୋଲି କହିଥିଲେ । ଏହାର ଉଚିତ ଜବାବ ଦିଆଯିବ ବୋଲି କର୍ମୀମାନେ ରଣହୁଙ୍କାର ଦେଇଥିଲେ । ପ୍ରତିବାଦ ସଭା ପରେ ହଜାର ହଜାର ବିଜେଡି କର୍ମୀ ଏସପି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରି ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *