ନୂଆ -ଓର ଭାଷା ସାହିତ୍ୟ ଓ ସଂସ୍କୃତି କାର୍ୟ୍ୟକ୍ରମର ଉଦଯାପନୀ ଉତ୍ସବ

ନିରାକାରପୁର, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥ କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଅନ୍ତର୍ଗତ ଭାଷା ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ କାର୍ୟ୍ୟକ୍ରମର ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ପୌରହିତ କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଶ୍ରୀ ଦୁଃଶାସନ ଗୁମାନସିଂହ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବା ଓ ଏହାର ପରିପ୍ରକାଶ ନିମନ୍ତେ ଗୁରୁତ୍ୱ ଦେବା କୁ ପ୍ରୋତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ, ପ୍ରଚାରକ ଓ ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ରମାବଲ୍ଲଭ ମହାପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତିର ଐତିହ୍ୟ,ପରମ୍ପରା ଓ କିମ୍ବଦନ୍ତୀ ସମ୍ପର୍କରେ ଆଲୋକପାତ କରିଥିଲେ । ତତସହିତ ଆଦର୍ଶ ଛାତ୍ର ସମାଜ ଗଠନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ କର୍ତବ୍ୟନିଷ୍ଠ, ଚରିତ୍ରବାନ, ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ ହେବା ନିମନ୍ତେ ମାର୍ଗଦର୍ଶନ କରିଥିଲେ । ଆଠ ଦିନ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପରିଶେଷରେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । +୨, ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ମୃତିକା ହରିଚନ୍ଦନ ଶ୍ରେଷ୍ଠ ପ୍ରତିଯୋଗୀଭାବେ ବିବେଚିତ ହୋଇଥିଲେ । ଏହି କାର୍ୟ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ ଦେଇଥିଲେ । ନୋଡାଲ ଅଫିସର ଅଧ୍ୟାପକ ଶ୍ରୀଯୁକ୍ତ ଜଗତଜ୍ୟୋତି ମିଶ୍ର ବିବରଣୀପାଠ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ପ୍ରାଣେଶ୍ୱର ଜୟସିଂହ ମଞ୍ଚ ପରିଚାଳନା କରିଥିଲେ ଓ ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *