ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

ବ୍ୟାସକବିଙ୍କ ସାହିତ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୧୪/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୨୧” ପ୍ରଦାନ କରାଯାଇଛି। ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ଡ଼. ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ “ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ”ରେ ସମ୍ମାନିତ କରିଛନ୍ତି।

ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଓ ନିରନ୍ତର କାର୍ଯ୍ୟ, ଗବେଷଣା ଏବଂ ସାମଗ୍ରିକ ସାହିତ୍ୟ କୃତି ଆଦିକୁ ବିଚାରକୁ ନେଇ ଡ଼. ଷଡ଼ଙ୍ଗୀକୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବା ସହ ୫ଲକ୍ଷ ଟଙ୍କା ପୁରସ୍କାର ରାଶି, ଅଙ୍ଗବସ୍ତ୍ର ଓ ତାମ୍ର ଫଳକ ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ଡ଼. ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ଶ୍ରୀ ସୂରଜ ଅଭିନନ୍ଦନ ଜଣାଇବା ସହ ଏହି ସମ୍ମାନ ସାହିତ୍ୟ ଜଗତରେ ସାରସ୍ୱତ ସର୍ଜନା ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ।

ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, “ବ୍ୟାସକବି ଫକୀରମୋହନଙ୍କ ସାହିତ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସମାଜର ସତ୍ୟତାକୁ ବ୍ୟାସକବି ନିଜର ସାହିତ୍ୟରେ ପରିପ୍ରକାଶ କରୁଥିଲେ। ଆଜିର ସମୟରେ ମଧ୍ୟ ବ୍ୟାସକବିଙ୍କ ଲିଖିତ ଗଳ୍ପ, କବିତା ଓ ଉପନ୍ୟାସର ପ୍ରାସଙ୍ଗିକତା ରହିଛି। ଓଡ଼ିଆ ଭାଷାକୁ ଜୀବନ୍ତ କରି ରଖିବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଫକୀରମୋହନ ସେନାପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆଜିର ଯୁବପିଢ଼ି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ନିଜର ଯୋଗଦାନ ଦେବେ ବୋଲି ମୁଁ ଆଶା କରୁଛି।”

ଡ଼. ନୃସିଂହ ଚରଣ ଷଡ଼ଙ୍ଗୀ ନିଜର ଅଭିଭାଷଣରେ ବ୍ୟାସକବି ଫକୀରମୋହନଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିବା ସହ ଏହା ସଦାସର୍ବଦା ତାଙ୍କୁ ପ୍ରେରଣା ପ୍ରଦାନ କରିଛି ବୋଲି କହିଥିଲେ। ଔପନ୍ୟାସିକ ନାଥାନିଏଲଙ୍କ ଲିଖିତ “ଦି ହାଉସ ଅଫ ସେଭେନ ଗାବେଲ୍ସ” ଏବଂ ଫକୀରମୋହନଙ୍କ ରଚିତ “ଛ’ମାଣ ଆଠଗୁଣ୍ଠ” ଉପନ୍ୟାସର ଏକ ତୁଳନାତ୍ମକ ଗବେଷଣା ଉପରେ ଡ଼. ଷଡ଼ଙ୍ଗୀ ବକ୍ତବ୍ୟ ପ୍ରଦାନ କରିବା ସହ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ରାଜକବି ଗୋବିନ୍ଦଭଞ୍ଜ ଗ୍ରନ୍ଥାବଳୀ” ଏବଂ “ସାହିତ୍ୟିକ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)” ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଛାତ୍ରୀମାନେ ସମବେତ ସଙ୍ଗୀତ ପରିବେଷଣ କରିଥିଲେ।

ବିଶିଷ୍ଟ କଥାଶିଳ୍ପୀ ଓ ଔପନ୍ୟାସିକ ଶ୍ରୀ ଶାନ୍ତୁନୁ ଆଚାର୍ଯ୍ୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *