ପାରାଦୀପ କଲେଜରେ ରାଜ୍ୟର ପ୍ରଥମ ଦକ୍ଷତା କେନ୍ଦ୍ର ଉଦଘାଟିତ

ଦକ୍ଷତା କେନ୍ଦ୍ର କ୍ୟାରିୟରର ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରିବାକୁ ଆହ୍ବାନ

ଦକ୍ଷତା କେନ୍ଦ୍ର, ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବ: ମନ୍ତ୍ରୀ ଶ୍ରୀ ସ୍ବାଇଁ

ଭୁବନେଶ୍ୱର,୧୨/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିଳ୍ପ ଜଗତ କେବଳ ସାର୍ଟିଫିକେଟ୍ ଦେଖି ଚାକିରି ଦିଏ ନାହିଁ ବରଂ ଦକ୍ଷତା ଦେଖି ନିଯୁକ୍ତି ଦିଏ। ପାରାଦୀପ କଲେଜରେ ରାଜ୍ୟର ପ୍ରଥମ ଦକ୍ଷତା କେନ୍ଦ୍ରର ଉଦଘାଟନୀ ସମାରୋହ ଅବସରରେ ଏହା କହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏବେକାର ଚାକିରି ବଜାର ଦକ୍ଷତା, ଯୋଗାଯୋଗ, ସମସ୍ୟା ସମାଧାନ କ୍ଷମତା, ଡିଜିଟାଲ ସାକ୍ଷରତା ଏବଂ ବୃତ୍ତିଗତ ନୈତିକତା ଆଶା କରୁଛି। ତେଣୁ ଦକ୍ଷତା କେନ୍ଦ୍ରକୁ କେବଳ ଶ୍ରେଣୀଗୃହ ଭାବେ ନୁହେଁ ବରଂ କ୍ୟାରିୟର ପାଇଁ ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରିବାକୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ପାରାଦୀପ କଲେଜରେ ନବଉଦଘାଟିତ ଦକ୍ଷତା କେନ୍ଦ୍ରରେ ବିଏଫଏସଆଇ (BFSI) କ୍ଷେତ୍ରରେ ଆକାଉଣ୍ଟ ଏକଜିକ୍ୟୁଟିଭ ପାଠ୍ୟକ୍ରମ ପ୍ରଦାନ କରାଯିବ। ଏଠାରେ ବାର୍ଷିକ ୨୦୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ। କେନ୍ଦ୍ରଟି ନୂଆ ଓଡିଶା ଯୋଜନା ଅଧୀନରେ ବିଏଫଏସଆଇ ସେକ୍ଟର ସ୍କିଲ କାଉନସିଲ୍ ଦ୍ବାରା ପରିଚାଳିତ ହେବ। କେନ୍ଦ୍ରରେ ଜାତୀୟସ୍ତରରେ ସ୍ବୀକୃତିପ୍ରାପ୍ତ ତାଲିମ ମାନଦଣ୍ଡ, ଶିଳ୍ପ-ଭିତ୍ତିକ ପାଠ୍ୟକ୍ରମ ଏବଂ ନିଯୁକ୍ତି ଅନୁକୂଳ ପରିବେଶ ସୁନିଶ୍ଚିତ କରାଯିବ।

ଦକ୍ଷତା କେନ୍ଦ୍ର ଦ୍ବାରା ଦକ୍ଷତା ବୃଦ୍ଧି, ସାର୍ଟିଫିକେଟ୍ ପ୍ରଦାନ ତଥା ପ୍ଲେସମେଣ୍ଟକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ପାରାଦୀପ କଲେଜରେ ଦକ୍ଷତା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର ଭାବେ ପରିଚାଳିତ କରିବାକୁ ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଧ୍ୟାପକ ଏବଂ ପ୍ରଶାସକଙ୍କୁ ପରାମର୍ଶ ଦେଇଛନ୍ତି। ଶିଳ୍ପ ଜଗତ ସହ ସୁଦୃଢ ସଂପର୍କ ସ୍ଥାପନ କରିବା ସହ ନିୟମିତ କ୍ଷେତ୍ର ପରିଦର୍ଶନ, ଅତିଥୀ ଅଧ୍ୟାପକ, ଇଣ୍ଟର୍ଣ୍ଣସିପ୍ ଏବଂ  ନିଯୁକ୍ତି ସହାୟତା ସୁନିଶ୍ଚିତ କରିବାକୁ କହିଛନ୍ତି। ଦକ୍ଷତା କେନ୍ଦ୍ର, ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ସେତୁ ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ରଟି ଓଡିଶାର ଯୁବପିଢିଙ୍କୁ ଦକ୍ଷ, ସ୍ବାବଲମ୍ବୀ ଏବଂ ନିଯୁକ୍ତିଯୋଗ୍ୟ କରି ଗଢି ତୋଳିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଓଡିଶା ଆଜି ଶିଳ୍ପ ଅଭିବୃଦ୍ଧି, ପୁଞ୍ଜିନିବେଶ ସଂପ୍ରସାରଣ ଏବଂ ଆର୍ଥନୈତିକ ରୂପାନ୍ତରଣ ପଥରେ ଅଗ୍ରସର ହେଉଛି। ପାରାଦୀପ ବନ୍ଦର ବିଶ୍ବ ବାଣିଜ୍ୟର ପ୍ରବେଶ ପଥ ପାଲଟିଛି। ଓଡିଶାର ଏହି ଅଭିବୃଦ୍ଧିର ପ୍ରକୃତ ସୁଫଳ ପାଇବାକୁ ହେଲେ, ଆମ ଯୁବପିଢିଙ୍କୁ ଠିକ୍ ସମୟରେ ଠିକ୍ ଦକ୍ଷତା ହାସଲ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି। ଏହି ଅବସରରେ ନାନୋ ୟୁନିକର୍ନ ଯୋଜନାରେ ପ୍ରଶିକ୍ଷଣ ନେଇଥିବା ୧୩ଜଣଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୀବ ପ୍ରଧାନ, ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ପାରାଦୀପ କଲେଜ ଅଧ୍ୟକ୍ଷା ସସ୍ମିତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

-0-

ପ୍ରିୟଦର୍ଶନୀ ମହାପାତ୍ର ,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *